
କୁଡୁମୁଲୁଗୁମ୍ମା : ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଠାରେ ୧୧ ତାରିଖ ଦିନ ସ୍ୱର୍ଗତଃ କବି ବଳରାମ ପୂଜାରୀ ସ୍ମୃତି ସଂସଦ, କୁଡୁମୁଲୁଗୁମ୍ମା ତରଫରୁ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ନିକଟରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯିବା ସହ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି l ଦିନ ୧୧ଘଣ୍ଟିକା ସମୟେ ବହୁ ବିଶିଷ୍ଟ ସାହିତ୍ୟିକ, କବି/କବ୍ୟୟିତ୍ରୀ, ଶିକ୍ଷାବିତ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ କବି ବଳରାମ ପୂଜାରୀଙ୍କ ପିତା ଇନ୍ଦ୍ରମଣି ପୂଜାରୀ ଏବଂ ତାଙ୍କ ଶ୍ୱଶୁର ବାଳକୃଷ୍ଣ ରଣା ଙ୍କ କରକମଳରେ କବିଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯାଇଥିଲା l ଏହାପରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା l ସଭାମଞ୍ଚରେ ଅତିଥି ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଢ଼ୀ (ଆଦିବାସୀ ସଂସ୍କୃତି ଗବେଷକ / ବୈଶାଖୀ ପରିବାର, କୁଲାବୀର, ପାଡୁଆ ର ସଭାପତି ), ଶ୍ରୀଯୁକ୍ତ ବୁଲୁ ହୋତା (ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ, ନବରଙ୍ଗପୁର ), ଶ୍ରୀଯୁକ୍ତ ସାଇମନ ବିଡ଼ିକା (ଦେଶିଆ କୁଟୁମ୍ବ ସଭାପତି ), କବୀ ଝାନ୍ସୀ ସିଂ (ଅଧ୍ୟକ୍ଷl ଶ୍ରୀତମ କଲେଜ, ସେମିଳିଗୁଡା ), ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର (ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ, ଗଞ୍ଜାମ ), ଶ୍ରୀଯୁକ୍ତ ହେମନ୍ତ ଦଳପତି (ଅଧ୍ୟାପକ ଡାଏଟ୍, ଚିତ୍ରକୋଣ୍ଡା ), ଶ୍ରୀଯୁକ୍ତ ରାମହରି ସାହୁ (ବରିଷ୍ଠ ସାମ୍ବାଦିକ, କୁଡୁମୁଲୁଗୁମ୍ମା) ଏବଂ କବିଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ରଣା ମଞ୍ଚାସୀନ ଥିଲେ l ସମସ୍ତ ଅତିଥି କବିଙ୍କ ସ୍ମୃତି ଚାରଣ କରିବା ସହିତ ଆଗାମୀ ଦିନରେ କବିଙ୍କ ନାମରେ ଯେଉଁ ସ୍ମୃତି ସଂସଦ ଗଠନ କରାଯାଇଛି ତାହା କିଭଳି ଭାବରେ ସୁଦୃଢ ହୋଇ ପାରିବ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ l କବି ବଳରାମ ପୂଜାରୀଙ୍କ ଛଅ ଗୋଟି କବିତା ସଂକଳନ ପ୍ରକାଶିତ ହୋଇଥିବା ସ୍ଥଳେ ଆହୁରି ଅନେକ ଅପ୍ରକାଶିତ ଲେଖା ରହିଯାଇଛି l ତାହାର ପାଣ୍ଡୁ ଲିପିକୁ ସଂଗ୍ରହ କରି ତାହାର ପ୍ରକାଶନ ଦାୟିତ୍ୱ ହାତକୁ କିପରି ନିଆଯିବ ସେ ସମ୍ବନ୍ଧରେ ମତ ପ୍ରକାଶ ପାଇଥିଲା l କବିଙ୍କ ସ୍ମୃତିକୁ ସବୁଦିନ ଉଜ୍ଜୀବିତ ରଖିବା ପାଇଁ କବିପତ୍ନୀ ଙ୍କ ଏଭଳି ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ l କବୀ ବିଜୟାଶ୍ରୀ ପାଣିଗ୍ରାହୀ ମଞ୍ଚ ପରିଚାଳନା ଦାୟିତ୍ୱ ଖୁବ୍ ସୁନ୍ଦର ଭାବରେ ନିଭାଇଥିଲେ l ସମାଜସେବୀ ଭଗବାନ ସାହୁ, ବାଳକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ନେଲୁର, ଅଶୋକ ପ୍ରଧାନ, ରୁଦ୍ରାଭିଷେକ ପୂଜାରୀ, ଗୋପୀ ପାଙ୍ଗି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ l ବଳରାମ ପୂଜାରୀଙ୍କ ନାମରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ନେଇ ନିଜ ବାଡ଼ିରେ ଲଗେଇ ଯତ୍ନ ନେବା ପାଇଁ ନଡ଼ିଆ, ଆମ୍ବ, ପିଜୁଳି ଚାରା ବଣ୍ଟନ କରାଯାଇଥିଲା l