
ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆୟୋଜିତ ‘ ହର ଘର ତ୍ରିରଙ୍ଗା ‘- ‘ ହର ଘର ସ୍ୱଚ୍ଛତା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାୟ ୧୦୦ ମିଟର ବିଶିଷ୍ଟ ଏକ ତ୍ରିରଙ୍ଗା ପତାକା ଧରି ଶତାଧିକ ଛାତ୍ରଛାତ୍ରୀ ମାନେ ଚିକିଟୀ ପେଣ୍ଠ ବସଷ୍ଟାଣ୍ଡ ଠାରୁ ନେଳିଆ ବନ୍ଧ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ସୋରେନ, ତହସିଲଦାର ଶ୍ରୀଯୁକ୍ତ ବିଶ୍ୱରଞ୍ଜନ କହଁର ଓ ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ପରିଷଦର ଚାରୋଟି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ। ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଧରି ଜାତୀୟ ଏକତା ଓ ସ୍ବାଧୀନତାର ନାରା ଦେବା ସହ ଅଞ୍ଚଳର ସ୍ୱଚ୍ଛତା ଉପରେ ବିଭିନ୍ନ ବାର୍ତ୍ତା ସ୍ଲୋଗାନ ମାଧ୍ୟମରେ ଦେଇଥିଲେ। ଏହି ଅବସରରେ ପରିଷଦର ସମସ୍ତ କାଉନସିଲର, ଅଫିସ କର୍ମଚାରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।