
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାରୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ୫ଫୁଟରୁ ଅଧିକ ଜଳ ପ୍ରଭାହିତ ହେବା ଯୋଗୁଁ ଜାତୀୟ ରାଜପଥ ଉପରେ ଥିବା ୪ଟି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଓଡିଶା ସୀମାନ୍ତ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର , ତେଲଙ୍ଗାନାକୁ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ ଯାତ୍ରୀ ଏବଂ ଶହ ଶହ ଯାନବାହନ ଅଟକି ରହିଛି। ବନ୍ୟା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ କହିବା ଅନୁଯାୟୀ ବିଗତ ଏକ ମାସ ଭିତରେ ଏହି ଅଞ୍ଚଳରେ ପ୍ରାୟ ପାଞ୍ଚ ଥର ଉକ୍ତ ବ୍ରିଜ ଗୁଡିକ ବୁଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାଙ୍ଗୁରୁକୋଣ୍ଡା, ଏମଭି ୯୬, ଏମଭି ୯୦ ଓ ମହାରାଜପଲ୍ଲି ବ୍ରିଜ ବନ୍ୟା ପାଣିରେ ବୁଡି ରହିଛି। ଏହି ଅଂଚଳରେ ନୂତନ ବ୍ରିଜ ଗୁଡିକର ନିର୍ମାଣ ଦୀର୍ଘ୫ବର୍ଷ ଧରି ଚାଲୁ ରହିଥିବା ବେଳେ ପୋଲ କାର୍ଯ୍ୟ ଅଧାରେ ଅଟକି ରହିଛି। ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ କରିବା ସହ ଯୋଗାଯୋଗ କୁ ସୁଗମ କରିବାକୁ ଅଞ୍ଚଳବାସୀ ଓ ଯାତ୍ରୀଙ୍କ ପକ୍ଷ ରୁ ଦାବି ହୋଇଛି।