
କନ୍ଧମାଳ: ଗଛ,ଲତା ଓ ଘାସ ଉପରେ ପଡିଛି କାକର ବିନ୍ଦୁ । ସେହି କାକର ବିନ୍ଦୁ ସୂର୍ଯ୍ୟ କିରଣରେ ଝଲସି ଉଠୁଛି । ଏହା ସହ ମୋତି ମାଣିକ ପରି ଚକ୍ ଚକ୍ କରୁଛି କାକର ବିନ୍ଦୁ । କନ୍ଧମାଳର ପାଣିପାଗରେ ଆସିଛି ପରିବର୍ତ୍ତନ । ବର୍ଷା ସରିବା ପରେ ଜିଲ୍ଲାରେ ଦେଖା ଦେଇଛି କୁହୁଡି । ଜିଲ୍ଲାରେ ଶୀତକୁ ଇସାରା ଦେଲାଣି ପ୍ରଥମ କୁହୁଡି । ହାଲୁକା କୁହୁଡିରେ କନ୍ଧମାଳ ଜିଲ୍ଲାବାସୀ କିପରି ମଜା ନେଉଛନ୍ତି ଆସନ୍ତୁ ଦେଖିବା ।
ପାହାଡ ପର୍ବତ ଓ ଜଙ୍ଗଲରେ ଭରା କନ୍ଧମାଳ । ବିଶେଷ କରି ଶୀତ ପାଇଁ କନ୍ଧମାଳ ନିଜସ୍ବ ପରିଚୟ ବଜାୟ ରଖିଛି । ସୌନ୍ଦର୍ଯ୍ୟରେ ଭରି ରହିଥିବା ଦୃଶ୍ୟ ଦେଖିବାକୁ ଯେତିକି ମଜା ଲାଗେ, ପହିଲି ଶୀତରେ କାକର ବୁନ୍ଦାର ମଜା ଆହୁରି ଦ୍ଵିଗୁଣିତ କରିଥାଏ କନ୍ଧମାଳ ବାସୀଙ୍କୁ । ବର୍ଷା ଛାଡିବା ପରେ ସକାଳୁ ସକାଳୁ କୁହୁଡ଼ି ସ୍ପର୍ଷ କରିଛି ଜିଲ୍ଲାକୁ, ସତେ ଯେମିତି ଧରା ପୃଷ୍ଠକୁ ଧଳା ଚାଦରରେ ଘୋଡ଼େଇ ରଖିଛି । ଏବେ ଶୀତ ଅନୁଭୁତ ହେଉ ନଥିଲେ ମଧ୍ୟ ସକାଳୁ ସକାଳୁ ହାଲୁକା କୁହୁଡିର କାକର ବୁନ୍ଦାର ମଜା ନେଉଛନ୍ତି ଲୋକେ । ଅନ୍ୟ ଦିନ ତୁଳନାରେ ଶୀତ ଦିନର ଦୃଶ୍ୟ ଭାରି ନିଆରା ।
କନ୍ଧମାଳର ଶୀତକୁ ନେଇ ଅନେକ କବି ଓ ଲେଖକମାନେ ଅନେକ ପରିକଳ୍ପନା କରି କବିତା ଲେଖନ୍ତି । ସକାଳୁ ସକାଳୁ ପିଲାଠୁ ଆରମ୍ଭ କରି ମହିଳା ଓ ପୁରୁଷମାନେ ପ୍ରାତଃ ଭ୍ରମଣ କରି କୁହୁଡ଼ିର ମଜା ନେଉଛନ୍ତି ।
ତେବେ କନ୍ଧମାଳ ଶୀତକୁ ଉପଭୋଗ କରିବା ପାଇଁ ଶୀତ ଦିନ ଆସିଲେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ମାନେ ଆସିଥାନ୍ତି । କନ୍ଧମାଳ ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳମାନଙ୍କୁ ଆସି ଭୋଜି ଭାତ କରି ଆସର ଜମାଇଥାନ୍ତି ।