କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହରେ ୬୦୦ ମହିଳା ସମ୍ମାନିତ

ବ୍ରହ୍ମପୁର : ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ (କେନ୍ଦୁଝର) ଏବଂ ମେରାମଣ୍ଡଳୀ (ଢେଙ୍କାନାଳ)ର ୬୦୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଟାଟା ଷ୍ଟିଲ ସ୍ପେସିଆଲ ଇକନୋମିକ ଜୋନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ରୟ (ଭିଡିଓ କନଫରେନ୍ସିଂରେ), ଲିଡ୍-ଜେଣ୍ଡର ଆଣ୍ଡ୍ କମ୍ୟୁନିଟି ଏଂଟରପ୍ରାଇଜେସର ଶ୍ରୀମତୀ ସ୍ମିତା ବର୍ମା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗୋପାଳପୁରର ୟୁନିଟ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ନିଜ ଅଭିଭାଷଣରେ ଶ୍ରୀ ଜେନା ଦିଶା କାର୍ଯ୍ୟକ୍ରମ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏହା ପୂର୍ବରୁ ୪,୯୮୧ ଜଣ ମହିଳା ଲିଡରଙ୍କୁ ସଶକ୍ତ କରାଯାଇଛି। ଯେଉଁମାନେ ପ୍ରାୟ ୧୫,୦୦୦ ଅନ୍ୟ ଲୋକଙ୍କ ସହାୟତା କରୁଛନ୍ତି। ମହିଳାମାନଙ୍କୁ ଏକଦା ଦୁର୍ବଳ ବୋଲି ଧରାଯାଉଥିଲା ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାରୁ ବଂଚିତ କରାଯାଉଥିଲା। ଆଜି ସେମାନେ କ୍ଷମତା, ସ୍ଥିରତା ଏବଂ ବ୍ୟକ୍ତିତ୍ୱ ପ୍ରଦର୍ଶନ କରୁଛନ୍ତି। ଶିକ୍ଷା ଏବଂ ସଶକ୍ତିକରଣ କିପରି ମହିଳାମାନଙ୍କୁ ସ୍ୱାଧୀନତା ଏବଂ ସାମାଜିକ ନେତୃତ୍ୱ ଆଡକୁ ଅଗ୍ରସର କରୁଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ସୌରଭ ରାୟ କହିଥିଲେ, ଓଡ଼ିଶା ଓ ଝାଡ଼ଖଣ୍ଡରେ ତୃଣମୂଳସ୍ତରରେ ମହିଳାମାନଙ୍କୁ ଦିଶା ନେତୃତ୍ୱ କାର୍ଯ୍ୟକ୍ରମ ଅଧୀନରେ ତାଲିମ ପାଇଁ ବ୍ୟକ୍ତିଗତ ପସନ୍ଦ ଚୟନ କରିବା ଏବଂ ସମାଜରେ ପରିବର୍ତ୍ତନ ଆଣିବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି। ଏହା ହେଉଛି ସାଂପ୍ରତିକ ସାମାଜିକ ଧାରାରେ ରହି ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନଟ କରିବା ଏବଂ ଅନ୍ୟମାନଙ୍କ ଜୀବନରେ ମୂଲ୍ୟ ପ୍ରଦାନ କରିବା।
ଅନଗ୍ରସର ସମ୍ପ୍ରଦାୟର ମହିଳାମାନଙ୍କୁ ସେମାନଙ୍କ ଗ୍ରାମରେ ସକ୍ରିୟ ଲିଡର ଏବଂ ପରିବର୍ତ୍ତନ ସୃଷ୍ଟିକାରୀ ହେବାର ସୁଯୋଗ ଦେବାର ଦୃଷ୍ଟିକୋଣ ନେଇ ୨୦୨୧-୨୨ ଆର୍ଥିକ ବର୍ଷରେ ଦିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୫ ବର୍ଷରେ ୬,୦୦୦ ମହିଳାଙ୍କୁ ଲିଡରରେ ପରିଣତ କରିବାକୁ ଏହା ଲକ୍ଷ୍ୟ ରଖିଛି। ୫୬୪ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଦିଶା କାର୍ଯ୍ୟକ୍ରମ ୨୦୨୪-୨୫ ଆର୍ଥିକବର୍ଷ ମଧ୍ୟରେ ତିନୋଟି ମଡ୍ୟୁଲ୍ ଅଧୀନରେ ୪୯୮୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷିତ କରିଛି।
ଏହି କାର୍ଯ୍ୟକ୍ରମରେ ମହିଳାମାନେ ନେତୃତ୍ୱ ଓ ଲିଙ୍ଗଗତ ମୁଖ୍ୟ ଧାରା, ସ୍ଥାନୀୟ ସ୍ୱାୟତ୍ତ ଶାସନରେ ମହିଳାମାନଙ୍କ ଭୂମିକା ଏବଂ ସାମୂହିକ କାର୍ଯ୍ୟ ପାଇଁ ନେଟୱର୍କ ଏବଂ ପରାମର୍ଶ ଦକ୍ଷତା ଉପରେ ତିନୋଟି ଗଠନମୂଳକ ମଡ୍ୟୁଲ୍ ସଫଳତାର ସହିତ ପୂରଣ କରିଛନ୍ତି। ଏହି ମଡ୍ୟୁଲଗୁଡିକ ଅଂଶଗ୍ରହଣକାରୀଙ୍କୁ ଆତ୍ମବିଶ୍ୱାସ ଗଠନ ଏବଂ ସାମାଜିକ ବିକାଶ ପାଇଁ ଆଡଭୋକେସି ନେଟୱାର୍କ ସୃଷ୍ଟି କରିବାରେ ସକ୍ଷମ କରିଛି।
ସାରା ଓଡ଼ିଶାରେ ସାମାଜିକ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ମହିଳାମାନଙ୍କ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ପ୍ରଶିକ୍ଷିତ ମହିଳା ଲିଡରମାନଙ୍କୁ ପୁରସ୍କୃତ ଏବଂ ସାର୍ଟିଫିକେଟ ବିତରଣ ସହିତ ଏହି ସମାରୋହ ସମାପ୍ତ ହୋଇଥିଲା।