କୁକୁଡ଼ାଖଣ୍ଡି : ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସରକାରୀ ଅନୁଦାନ ହଡ଼ପ ଅଭିଯୋଗ, ଶିକ୍ଷା ବିଭାଗ ନୀରବ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ପଞ୍ଚାୟତର କୃପାସିନ୍ଧୁପୁର ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁଙ୍କ ବିରୋଧରେ ସରକାରୀ ଅନୁଦାନ ହଡ଼ପ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣାରେ ବିଦ୍ୟାଳୟ ଶିକ୍ଷା କମିଟି ଓ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ସନ୍ତୋଷ କୁମାର ସ୍ୱାଇଁ ବିଦ୍ୟାଳୟ ବିକାଶ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଧାନ ଶିକ୍ଷକ ବିଦ୍ୟାଳୟ କମିଟିକୁ ଅଜ୍ଞାତ ରଖି ମିଛ ବିଲ୍ ଭାଉଚର କରି ଟଙ୍କା ଲୁଟିଛନ୍ତି। ଏପରିକି ବିଦ୍ୟାଳୟରେ ଉନ୍ନୟନ କାର୍ଯ୍ୟ ଚାଲୁଥିବା ସମୟରେ ଲୁହାଛଡ଼, ଟାଇଲ୍ସ, ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଯେଉଁ ଶିକ୍ଷକ ଏ ବିଷୟରେ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଧମକ ଦିଆଯାଉଥିବା କୁହାଯାଇଛି।

ଏ ନେଇ ସ୍ଥାନୀୟ ସରପଞ୍ଚ କେ. ବୁଲୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବ୍ଲକ ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି।

ଆଜି ସରପଞ୍ଚ କେ. ବୁଲୁ ଏହି ମାମଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ତୁରନ୍ତ ଏହାର ତଦନ୍ତ କରି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଅତି ଶୀଘ୍ର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ଏହି ଘଟଣା ରାଜ୍ୟରେ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ସରକାରୀ ଅନୁଦାନର ସଦୁପଯୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟାଳୟ ଉନ୍ନୟନ ପାଇଁ ଉଦ୍ଦିଷ୍ଟ ଅର୍ଥର ଦୁରୁପଯୋଗ ରୋକିବା ପାଇଁ ଶିକ୍ଷା ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.