ବ୍ରହ୍ମପୁରରେ MSME ସମୀକ୍ଷା ବୈଠକ : ପ୍ରତି ବ୍ଲକରେ ଶିଳ୍ପ ସ୍ଥାପନ ଲକ୍ଷ୍ୟ, ନିଷ୍କ୍ରିୟ ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

add-all

ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ଆଜି ମତ୍ସ୍ୟ ଓ ପଶୁସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ଶିଳ୍ପ ବିକାଶ ଦିଗରେ ନୂତନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ପ୍ରତି ବ୍ଲକ ସ୍ତରରେ ଲେଣ୍ଡ ବ୍ୟାଙ୍କ ସୃଷ୍ଟି କରି ନୂତନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାକୁ ପ୍ରାଥମିକତା ଦିଆଯିବା ଅନ୍ୟତମ। ଏହି ଅବସରରେ MSME ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ଯେଉଁମାନେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜମି ହାତେଇ ଦୀର୍ଘ ଦିନ ଧରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ମାସକ ଭିତରେ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡ଼ା, ବ୍ରହ୍ମପୁର ପାଟର ଜି.ଆଇ. ଟ୍ୟାଗ୍ (Geographical Indication Tag) ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାରେ କିଆ ଚାଷୀଙ୍କ ଉନ୍ନତି ଏବଂ ଚାଷର ବିକାଶ ପାଇଁ ଏକ କେୱଡା ବୋର୍ଡ ଗଠନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ଆଜିର ଏହି ସମୀକ୍ଷା ବୈଠକରେ ବିଭାଗୀୟ ନିର୍ଦ୍ଦେଶକ, ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ନିଷ୍ପତ୍ତିଗୁଡ଼ିକ ଗଞ୍ଜାମ ଜିଲ୍ଲାର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ କୃଷକ ଓ ଉଦ୍ୟୋଗୀମାନଙ୍କୁ ଲାଭବାନ କରିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.