କୋରାପୁଟରେ ଗ୍ରୀନପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡର ଭିତ୍ତିପ୍ରସ୍ତର ସ୍ଥାପନ : ୬୦୬ କୋଟି ଟଙ୍କାର ନିବେଶ, ୧୩୦୦ ନିଯୁକ୍ତି ସୁଯୋଗ

କୋରାପୁଟ : କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଆଜି ଗ୍ରୀନପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର ୧୨ଟି ଜିଲ୍ଲାରେ ୨୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଯେଉଁଥିରେ ଏହି କମ୍ପାନୀ ଅନ୍ୟତମ।

ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟା ବିରିଆ, ବ୍ଲକ ଉପାଧ୍ୟକ୍ଷ ଶିବାୟା ବାଙ୍ଗିରୀ, ବିଡିଓ ଯସ୍ମୀନ ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, ସ୍ଥାନୀୟ ସରପଞ୍ଚ ମହାଲକ୍ଷ୍ମୀ ଜାନୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱରସ୍ଥିତ ଓୟୁଏଟି ସଭାଗୃହ ଠାରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଦିବସ କାର୍ଯ୍ୟକ୍ରମରେ ଗ୍ରୀନପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାଜେଶ ମିତ୍ତଲ ଯୋଗ ଦେଇଥିଲେ। ସେ ପ୍ରକାଶ କରିଥିଲେ ଯେ, ସେମିଳିଗୁଡା ରାଣୀକଣା ଠାରେ ୬୦୬ କୋଟି ଟଙ୍କା ବିନିଯୋଗରେ ଦୁଇଟି ପ୍ଲାଇଉଡ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଯିବ।
ଏହି ଫ୍ୟାକ୍ଟ୍ରିରେ ପେପର, ପ୍ଲାଇଉଡ୍ ଏବଂ ବନ୍ୟଜାତୀୟ ସାମଗ୍ରୀର ଉତ୍ପାଦନ ହେବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ୧୩୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ହେବ ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ଏହି ପ୍ରକଳ୍ପ କୋରାପୁଟ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।