
ଉମରକୋଟ/ରାଇଘର ( ୧୭/୦୯/୨୦୨୫) ସାମାନ୍ୟ ପାରିବାରୀକ ବିବାଦ କେତେ ଦୂର ପର୍ଯ୍ୟନ୍ତ ହିଂସ୍ରାତ୍ମକ ରୂପ ନେଇପାରେ, ତାହାର ଏକ ଜ୍ୱଲନ୍ତ ଉଦାହରଣ ଦେଖାଗଲା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା କ୍ଷେତ୍ରରେ ଥିବା କେବିକଙ୍ଗା ଡିଏନକେ ଗ୍ରାମରେ। ସାଧାରଣ ପାରିବାରିକ ଝଗଡ଼ାକୁ କେନ୍ଦ୍ର କରି ହୋଇଥିବା ଏକ ଆକ୍ରମଣରେ ମାଲକାନଗିରି ଜିଲ୍ଲାର ଆଗତ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ପଡ଼ିଛି।
ସୂଚନା ଅନୁଯାୟୀ, କେବିକଙ୍ଗା ଗ୍ରାମର ନିବାସୀ ନେପାଳ ସରକାରଙ୍କ ଶ୍ୱଶୁରଘର, ମାଲକାନଗିରି ଜିଲ୍ଲାର ଓର୍କେଲ ଥାନା ଅନ୍ତର୍ଗତ ଏମ ଭି-୩୭ ଗ୍ରାମର ନରେଶ ହାଲଦାର, ସେ ବିଗତ ଦୁଇ ଦିନ ପୂର୍ବେ ନିଜ ଝିଅର ଘରକୁ ବୁଲିବା ପାଇଁ ଆସିଥିଲେ। କୌଣସି ଏକ କାରଣକୁ ନେଇ ନେପାଳ ସରକାରଙ୍କ ବାପା ଓ ବଡ଼ ବୋହୁ ତୁଳସୀ ସରକାରଙ୍କ ମଧ୍ୟରେ ସାଧାରଣ ଯୁକ୍ତି ତର୍କ ବିବାଦ ସୃଷ୍ଟି ହୋଇଥିଲା।
ଯେତେବେଳେ ଉକ୍ତ ଘଟଣାଟି ଉଗ୍ରରୂପରେ ପରିଣତ ହେଲା, ସେତେବେଳେ ସେହି ଘଟଣାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ନରେଶ ହାଲଦାର ଦୁହିଁପକ୍ଷକୁ ଶାନ୍ତ ହେବାକୁ ଅନୁରୋଧ କରିଥିଲେ। କିନ୍ତୁ, ତାଙ୍କ କଥାକୁ ଉଭୟ ପକ୍ଷ ଗୁରୁତ୍ୱ ନଦେଇ, ତୁଳସୀ ସରକାର ନିଜ ମାଆ-ବାପା ଘର କଛରାପାରା- ୨ନଂ ଡିଏନକେ ରେ ଥିବା ଭାଇମାନଙ୍କୁ ଫୋନ କରି ସମଗ୍ର ଘଟଣାର ସୂଚନା ପ୍ରଦାନ କରି ଆସିବାକୁ କହିଥିଲେ।
ସୂଚନା ପାଇ, କଛରାପାରା-୨ନଂ ଡିଏନକେ ର ଫଟିକ ଵାଲା, ମହାଦେବ ଵାଲା, ମହଣ୍ଡ ଡିଏନକେ ଗ୍ରାମର ନନି ସରକାରଙ୍କ ପୁଅ ତରୁଣ ସରକାର ସହିତ ଉଦୟପୁର ଡିଏନକେ ଗ୍ରାମର କାଞ୍ଚନ ମଣ୍ଡଲ ସହିତ କିଛି ଆହୁରି ଲୋକ, କେବିକଙ୍ଗା ଗ୍ରାମକୁ ପହଞ୍ଚିଥିଲେ। ସେମାନେ କିଛି ନ ଶୁଣି ନ ବୁଝି ସମସ୍ତେ ମିଶି, ମାଲକାନଗିରିରୁ ଆସିଥିବା ନରେଶ ହାଲଦାରଙ୍କୁ ଲକ୍ଷ୍ୟ କରି ହିଂସ୍ରାତ୍ମକ ଆକ୍ରମଣ କରିଥିଲେ। ସେହି ଆକ୍ରମଣ ଏତେ ତୀବ୍ର ଥିଲା ଯେ, ନରେଶ ହାଲଦାର ମାଡ଼ ଖାଇ ବେହୋସ ହୋଇ ମାଟିକୁ ପଡ଼ିଥିଲେ। ସାଇ ପଡିଶା ଓ ସ୍ଥାନୀୟମାନେ ଘଟଣାସ୍ଥଳର ଭୀଷଣତାକୁ ଦେଖି ଆତଙ୍କିତ ହୋଇଥିଲେ ଏବଂ ପରିସ୍ଥିତିକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା।
ଏପରି ଘଟଣାର ସୂଚନା ପାଇ କୁନ୍ଦେଇ ପୋଲିସ କାଳବିଳମ୍ବ ନ କରି ତତ୍କ୍ଷଣାତ୍ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସେମାନେ ଆହତ ନରେଶ ହାଲଦାରଙ୍କୁ ଉଦ୍ଧାର କରି, ଆସୁଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ପରେ, ନରେଶଙ୍କ ପୁଅ ଶୁବେଶ ହାଲଦାର, ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କୁନ୍ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
କୁନ୍ଦେଇ ପୋଲିସ ଘଟଣାଟିକୁ ଗୁରତ୍ତର ସହିତ ତଦନ୍ତ ପରେ, ୧୨୬/୨୫ ଧାରାରେ ଏକ ମାମଲା ରୁଜୁ କରି ଉପରୋକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ସୂଚନାରୁ ପ୍ରକାଶ।
ଏହି ଘଟଣା କେବିକଙ୍ଗା ଗାଁରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି। ସାଧାରଣ ପାରିବାରୀକ କଲୋହ, ବିବାଦରୁ ଏତେ ଗୁରୁତର ଆକ୍ରମଣ ସୃଷ୍ଟି ହେବାରୁ ସ୍ଥାନୀୟମାନେ ଘୋର ନିନ୍ଦା କରିଛନ୍ତି। ଅନେକର ମତାନୁସାରେ, ଗ୍ରାମୀଣ ସମାଜରେ ସହିଷ୍ଣୁତାର ଅଭାବ ବୃଦ୍ଧି ପାଉଛି, ଯାହାର କୁ-ପରିଣାମ ଏପରି ହିଂସ୍ରାତ୍ମକ ଘଟଣାରେ ପ୍ରକାଶ ପାଉଛି।କେବିକଙ୍ଗାର ଏହି ଘଟଣା ପ୍ରମାଣ କରିଛି ଯେ, ଛୋଟ ବିବାଦକୁ ଯଦି ସମୟରେ ସମାଧାନ କରାଯାଇନଥାଏ, ତେବେ ତାହା ଦୁର୍ଭାଗ୍ୟଜନକ ଆକ୍ରମଣର ରୂପ ନେଇ ପାରେ। ପୋଲିସର ତ୍ୱରିତ କାର୍ଯ୍ୟନୁଷ୍ଠାନ ଦ୍ୱାରା ଅଭିଯୁକ୍ତମାନଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ସତ୍ୟ, କିନ୍ତୁ ଅଞ୍ଚଳବାସୀଙ୍କ କହିବା କଥା, ଏହି ପରି ଘଟଣା ପୁଣି ଥରେ ହେବାକୁ ନଦେବା ପାଇଁ ସମାଜକୁ ସଚେତନ ହେବା ଅତ୍ୟାବଶ୍ୟକ।