
ରାୟଗଡା : ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର । ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ହେଲେ ମା ଓ ଶିଶୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ଦୂଲଦୁଲଗୁଡା ଗାଁ ନିକଟରେ ।
ସୂଚନା ଅନୁସାରେ ଗର୍ଭବତୀ ମା ମଞ୍ଜୁଳା ହିଆଲ ଓ ତାଙ୍କର ତିନି ବର୍ଷର ଝିଅ ସହ ଦୂଲଦୁଲି ଗୁଡା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ନିକଟସ୍ଥ ଚାଷଜମିରେ କାମ କରୁଥିବା କିଛି ଯୁବଙ୍କ ଦ୍ୱାରା ଉଦ୍ଧାର ହୋଇ ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗର ଗାଡି ସାହାଯ୍ୟରେ କଲ୍ୟାଣସିଂହପର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଉଭୟ ଗର୍ଭବତୀ ଓ ଶିଶୁ କନ୍ୟାକୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।