
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ପ୍ରାୟ ଶହେଟି ହଜିଥିବା ମୋବାଇଲ ଫୋନ ଉଦ୍ଧାର କରାଯାଇ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ ସାଇବର ଠକେଇର ଶିକାର ହୋଇ ହରାଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଉଦ୍ଧାର କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦିଆଯାଇଛି। ପୋଲିସର ଏହି କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ହଜିଥିବା ଜିନିଷ ପାଇଥିବା ଲୋକମାନେ ଧନ୍ୟବାଦ ଜଣାଇଛନ୍ତି।
ଆଜି ବ୍ରହ୍ମପୁର ଏସ.ପି.ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆଇ.ଜି. ନୀତି ଶେଖର ଏବଂ ବ୍ରହ୍ମପୁର ଏସ.ପି. ଡା. ସର୍ବଣା ବିବେକ ଏମ୍.ଙ୍କ ଉପସ୍ଥିତିରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନ ଏବଂ ଟଙ୍କା ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନଲାଇନରେ ମାମଲା ରୁଜୁ କରିଥିବା ଲୋକଙ୍କ ମୋବାଇଲ ମଧ୍ୟ ଉଦ୍ଧାର କରାଯାଇଛି।
ଏହି ଅବସରରେ ଦକ୍ଷିଣାଞ୍ଚଳ ଆଇ.ଜି. ନୀତି ଶେଖର କହିଥିଲେ ଯେ, “ସାଧାରଣ ଲୋକଙ୍କ ସେବାରେ ପୋଲିସ ସବୁବେଳେ ଅଛି। ଲୋକଙ୍କ ଯେକୌଣସି ମାମଲା ଅନଲାଇନ ହେଉ କି ଅଫଲାଇନ ହେଉ, ସବୁ ମାମଲାକୁ ଗୁରୁତ୍ୱ ଦିଆଯାଇ ତାହାର ପଦକ୍ଷେପ ଗ୍ରହଣ କରାଯାଉଛି।” ଜଣେ ଚୋରୀର ଶିକାର ହୋଇଥିବା ଯୁବକ କହିଥିଲେ ଯେ, ତାଙ୍କ ମୋବାଇଲ ଛଅ ମାସ ହେଲା ହଜିଯାଇଥିଲା ଏବଂ ମିଳିବ ବୋଲି ଆଶା ନଥିଲା। ଅନଲାଇନରେ ମାମଲା ରୁଜୁ କରିଥିବା କାରଣରୁ ପୋଲିସ ତାଙ୍କ ମୋବାଇଲ ଉଦ୍ଧାର କରି ତାଙ୍କୁ ପ୍ରଦାନ କରିଛି।
ଏସ.ପି. ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି ଯେ, ମୋବାଇଲ ଫୋନ ଚୋରି କିମ୍ବା ହଜିବା ପାଇଁ ଏବେ ଥାନାକୁ ଯିବାର ଆବଶ୍ୟକତା ନାହିଁ। ଅନଲାଇନ ମାଧ୍ୟମରେ କିମ୍ବା ୮୮୯୫୦୮୩୮୭୩ ନମ୍ବରକୁ କଲ୍ କରି ଅଥବା ହ୍ୱାଟ୍ସଆପ୍ କରି ନିଜର ପରିଚୟ ପତ୍ର ଏବଂ ସମସ୍ତ ତଥ୍ୟ ଦେଇ ମାମଲା ରୁଜୁ କରିହେବ। ପୋଲିସର ଏହି ଅଭିନବ ପଦକ୍ଷେପ ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ସହଜତା ଆଣିଛି।