
ଆନନ୍ଦପୁର : ଝାଡ଼ାବାନ୍ତି ଆତଙ୍କ । ଦୁଇ ମୃତ ,ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। କେନ୍ଦୁଝର ଜିଲ୍ଲା ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି । ଜିଲ୍ଲା ସ୍ବାସ୍ଥ୍ଯ ବିଭାଗର ସ୍ବତନ୍ତ୍ର ଟିମ୍ ସହ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରୁ ଏକ ଡାକ୍ତରୀ ଦଳ ଗାଁର ପହଞ୍ଚି ସ୍ଥିତି ପରଖିଛନ୍ତି ।
ପଟିଲୋ ମାଝୀ ସାହିର ପ୍ରଫୁଲ୍ଲ ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା। ଗାଁର କଳାକାର ମାଝୀ ଝାଡାବାନ୍ତି ହେବା ପରେ ପରିବାର ଲୋକ ଆନନ୍ଦପୁର ଡାକ୍ତରଖାନା ନେବା ବାଟରେ ମୃତ୍ଯୁ ହୋଇଯାଇଥିବା ଜଣାପଡିଛି ।
ଏବେବି ମାଝୀ ସାହୀର ଅନେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଝାଡାବାନ୍ତି ଅଧିକ ସଂକ୍ରମିତ ନହେବ ସେଥି ପ୍ରତି ସ୍ବାସ୍ଥ୍ଯ ବିଭାଗ ସଜାଗ ରହିଥିବା ଚିକିତ୍ସାଧିକାରୀ କହିଛନ୍ତି । ନଳକୂପ ଏବଂ କୂଅରେ ବ୍ଲିଚିଂ ପକାଇ ପାଣି ବିଶୋଧନ କରାଯାଇଛି।ଲୋକେ ପାଣିକୁ ଫୁଟାଇ ପିଇବା ସହ ବାହାରେ ମଳତ୍ଯାଗ ନକରିବାକୁ ପରାମର୍ଶ ଦିଆଯାଇଛି ।