ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସହାୟକ ହୋଇଛି ଆଦାନୀ ଫାଉଣ୍ଡେସନ

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ପ୍ରୟାସରେ ଆଦାନୀ ଫାଉଣ୍ଡେସନ ଜରିଆରେ ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ର ବିଭିନ୍ନ ଶ୍ରେଣୀଗୃହରେ ୭୫ ଇଞ୍ଚ୍ ବିଶିଷ୍ଟ ବୃହତ ଏଲ୍ଇଡି ସ୍କ୍ରିନ୍ (ଇନ୍ଟରାକ୍ଟିଭ ପ୍ୟାନେଲ୍) ଅବସ୍ଥାପନା କରାଯାଇଛି ଯାହା ଡିଜିଟାଲ ଶିକ୍ଷା ଭୀତିଭୂମିକୁ ସୁଦୃଢ କରିପାରିବା ସହ ପ୍ରଶିକ୍ଷକମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନରେ ଶିକ୍ଷାଦାନ ପାଇଁ ଆକର୍ଷଣୀୟ ହୋଇପାରିଛି । ଏହା ସହ କଲେଜ ପରିସରରେ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ୬୦ ଲିଟର କ୍ଷମତା ବିଶିଷ୍ଟ ଏକ ଆଲକାଲାଇନ୍ ୱାଟର ମେସିନ୍ ମଧ୍ୟ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାପନା କରାଯାଇଛି ।
ଛତ୍ରପୁର ସରକାରୀ ଆଇଟିଆଇ କଲେଜରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ଶ୍ରୀ ସିବାଶିଷ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଡିଜିଟାଲ ଶ୍ରେଣୀ ଗୃହଗୁଡିକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବନ୍ଦରର ଅପରେଶନ ଏବଂ ମେଣ୍ଟେନାଂଶ ବିଭାଗର ମୁଖ୍ୟ ଶ୍ରୀ ଅଜିତ କୁମାର ପିଶରୋଡି, ସିଏସଆର ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର, ଛତ୍ରପୁର ସରକାରୀ ଆଇଟିଆଇ ଅଧକ୍ଷ, ଶ୍ରୀ ଅତୁଲ୍ୟ କୁମାର ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ (ଡିଏସଡିଓ) ଶ୍ରୀ ଫାଲଗୁନି ସାର୍ଥକ ନାୟକ ଏବଂ ବହୁ ପ୍ରଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ସିବାଶିଷ ବରାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବୈଷୟିକ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ଶିକ୍ଷା ସୀମା ଭିତରେ ଆବଦ୍ଧ ନରହି ଏହି ଡିଜିଟାଲ୍ ଶ୍ରେଣୀଗୃହ ଉପକରଣ ମାଧ୍ୟମରେ ବାହ୍ୟ ଜ୍ଞାନ ବୃଦ୍ଧି କରିବା ଉଚିତ। ଭାରତ ସ୍ୱାଧୀନତାର 100 ବର୍ଷ ପାଖେଇ ଆସୁଥିବା ବେଳେ ବିକଶିତ ଭାରତ ଦିଗରେ ଦେଶକୁ ଆଗେଇନେବାରେ ବୈଷୟିକ ଛାତ୍ରଛାତ୍ରୀମାନଙ୍କ ବିଶେଷ ଭୂମିକା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।
ଗୋପାଳପୁର ବନ୍ଦରର ଅପରେଶନ ଏବଂ ମେଣ୍ଟେନାଂଶ ବିଭାଗର ମୁଖ୍ୟ ଶ୍ରୀ ଅଜିତ କୁମାର ପିଶରୋଡି କହିଥିଲେ ଯେ ଶିଳ୍ପ କ୍ଷେତ୍ରରେ ନିରନ୍ତର ଉନ୍ନୟନ ହୋଇଚାଲିଛି ଏବଂ ଏହି ଉନ୍ନତିମୂଳକ ପରିବର୍ତ୍ତନ ସହ ଛାତ୍ରଛାତ୍ରୀମାନଙ୍କୁ ତାଳ ଦେଇ ଚାଲିବାକୁ ପଡିବ ଯାହା ଏକ ପ୍ରଯୁକ୍ତିବିଦ୍ୟା-ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ। ସେଥିପାଇଁ ଏହି ଡିଜିଟାଲ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନୂତନତମ ଶିକ୍ଷା ଧାରା ସହିତ ସମନ୍ବୟ ରଖିପାରିବେ।
ଛତ୍ରପୁର ସରକାରୀ ଆଇଟିଆଇ କଲେଜ ଅଧକ୍ଷ, ଶ୍ରୀ ଅତୁଲ୍ୟ କୁମାର ପଣ୍ଡା ଶୈକ୍ଷିକ ପ୍ରଭାବ ଉପରେ ଆଲୋକପାତ କରି କହିଥିଲେ ଯେ ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ସ୍ଥାପନ ଶ୍ରେଣୀଗୃହଗୁଡ଼ିକୁ ଅଧିକ ଆକର୍ଷଣୀୟ କରୁଛି ଯାହାଦ୍ୱାରା ଅଧାରୁ ପାଠପଢ଼ା ଛାଡିବା ହାର ଅନେକ ମାତ୍ରାରେ ହ୍ରାସ ପାଇବା ସହ ଶ୍ରେଣୀଗୃହ ଉପସ୍ଥିତିରେ ବହୁ ଉନ୍ନତି ପରିଲିଖିତ ହୋଇଛି । ଶ୍ରୀ ପଣ୍ଡା ଏକ ଲିଖିତ ପ୍ରଶଂସା ପତ୍ର ମାଧ୍ୟମରେ ଆଦାନୀ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇ ଲେଖିଛନ୍ତି ଯେ ଛତ୍ରପୁର ସରକାରୀ ଆଇଟିଆଇ ପରିବାରର ଉଭୟ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀଙ୍କ ତରଫରୁ ଏକ ସୁନିଶ୍ଚିତ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହୋଇଥିବାରୁ ମୁଁ ଆଦାନୀ ଫାଉଣ୍ଡେସନକୁ ଗଭୀର କୃତଜ୍ଞତା ଜଣାଉଛି।