
ଯାଯପୁର: ଚାରିଆଡ଼େ ବୁଲୁଛନ୍ତି ଲୁଟେରା । କେବଳ ପୁରୁଷ ନୁହେଁ ମହିଳାମାନେ ବି ଲୁଟୁଛନ୍ତି । ଲୁଟେରାମାନେ ଯେ କେତେ ପ୍ଲାନ୍ କରି ଲୁଟ୍ କରନ୍ତି ତାର ହିସାବ ନାହିଁ । କିଏ ମୁଖା ପିନ୍ଧି ଆସି ଲୁଟ୍ କରନ୍ତି ତ କିଏ ରାତିର ଘନ ଅନ୍ଧାକାରରେ ସବୁ ଶୋଇଗଲା ପରେ ଲୁଟ୍ କରନ୍ତି । କିନ୍ତୁ ଏବେ ପଡ଼ୋଶୀଙ୍କ ଉପରେ ବି ଆଉ ବିଶ୍ବାସ ନାହିଁ । ଆମେ ଏମିତି କହିବାର କାରଣ ହେଉଛି ନିକଟରେ ହୋଇଥିବା ଲୁଟ୍ ଖବର । ଯାଯପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ କୋଲଡ୍ରିଙ୍କସ୍ ରେ ନିଶା ଦେଇ ଲୁଟ୍ ହୋଇଛି । ଏ ଲୁଟରେ ପୁଣି ଆଉ କେହି ନୁହେଁ, ଖୋଦ ଦମ୍ପତିଙ୍କ ପଡ଼ୋଶୀ ସାମିଲ ଥିବା ଜଣା ପଡ଼ିଛି । ବୃଦ୍ଧ ଦମ୍ପତିଙ୍କ ଟଙ୍କା ଓ ସୁନା ଚେନ୍ କୁ ଲୁଟିନେଲେ ପଡ଼ୋଶୀ ମହିଳା । କିନ୍ତୁ ଦମ୍ପତି ଥାନାର ଦ୍ବାରସ୍ଥ ହେବାପରେ ଏବେ ଲୁଟେରା ମହିଳାଙ୍କୁ ବାନ୍ଧିଛି ପୋଲିସ।
ସୂଚନା ମୁତାବକ ଯାଜପୁର ରୋଡ଼ ଥାନା ବ୍ୟାସନଗର ପୌରାଞ୍ଚଳର ଗାୟତ୍ରୀ ବିହାର ଅଞ୍ଚଳରେ ରହୁଥିବା ଏକ ବୃଦ୍ଧ ଦମ୍ପତି ଏଭଳି ଲୁଟର ଶିକାର ହୋଇଛନ୍ତି । ତେବେ ଲୁଟ୍ କରିବା ପାଇଁ ପଡ଼ୋଶୀ ମହିଳା ଜଣକ ରଚିଥିଲେ ଷଡ଼ଯନ୍ତ୍ର । ପ୍ଲାନ୍ ଅନୁସାରେ ନିଜ ଝିଅର ଚାକିରି ହୋଇଯାଇଥିବା ନେଇ ବୃଦ୍ଧ ଦମ୍ପତିଙ୍କୁ କହିଥିଲେ ।
ପରେ ବୃଦ୍ଧ ଦମ୍ପତି ପ୍ରଦ୍ୟୁମ୍ନ କୁମାର ଜେନା ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ଚକ୍ରଙ୍କୁ କୋଲଡ୍ରିଙ୍କସ୍ ପିଇବାକୁ ଦେଇଥିଲେ ମହିଳା । ଆଉ ଉଭୟ ସ୍ବାମୀ ସ୍ତ୍ରୀ ବେହୋସ୍ ହେବାର ସୁଯୋଗ ନେଇ ସେହି ପଡୋଶୀ ମହିଳା ଜଣଙ୍କ ପୀଡ଼ିତା ମହିଳାଙ୍କ ବେକରୁ ସୁନା ଚେନ ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲେ ।
ଏନେଇ ଦମ୍ପତି ଯାଜପୁର ରୋଡ଼ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେହିପରି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏଥିସହିତ ଅଭିଯୁକ୍ତ ମହିଳାଙ୍କ ନିକଟରୁ ଲୁଟ୍ ହୋଇଥିବା ସୁନା ଚେନ୍ ଉଦ୍ଧାର ହୋଇଥିବା ବେଳେ ଏହାକୁ ଦମ୍ପତିଙ୍କୁ ଫେରସ୍ତ କରାଯାଇଛି ।
ଲୁଟ୍ କରିବା ପାଇଁ ଏମାନଙ୍କ ପ୍ଲାନ୍ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏଭଳି ଚୋରି ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । କିନ୍ତୁ ପୋଲିସର ତତ୍ପରତା ଯୋଗୁଁ ବୃଦ୍ଧ ଦମ୍ପତି ନିଜ ଜିନିଷ ଫେରି ପାଇଲେ। ତେଣୁ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସମସ୍ତେ ସାଧୁବାଦ ଜଣାଉଛନ୍ତି ।