ଚାରା ବିତରଣ କେନ୍ଦ୍ର ଉଦଘାଟିତ

youtube

ବଣାଇଁ : ବଣାଇଁ କୁ ସବୁଜ ସୁନ୍ଦର ଗଢି ତୋଳିବାର ଲକ୍ଷ ନେଇ ବଣାଇଁ ବନବିଭାଗ ଓ ଓଡ଼ିଶା ମାଇନିଙ୍ଗ କର୍ପୋରେସନ (ଖଣ୍ଡାଧାର କୁରମିତର)ଖଣିର ମିଳିତ ସହଯୋଗରେ ବଣାଇଁ ସହର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ନିକଟରେ ଏକ ମାଗଣା ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଣାଇଁ ବନଖଣ୍ଡ ସହକାରୀ ବନ ସଂରକ୍ଷକ ନଳିନୀ କାନ୍ତ ବେହେରା, ଦୁର୍ଯ୍ୟୋଧନ ଜେରେଇ ଯୋଗଦେଇ ଫିତା କାଟି ଚାରା ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଏମସି ( କୁରମିତର) ଖଣିର ଜଙ୍ଗଲ ଓ ପରିବେଶ ବିଭାଗ ମ୍ୟାନେଜର ମନୋଜ କୁମାର ଦେବତା ଯୋଗଦେଇ ସହର ବାସୀଙ୍କୁ ଉନ୍ନତ ମାନର ଆମ୍ବ, ଲିଚୁ, ଲେମ୍ବୁ, ଇତ୍ୟାଦି ବିଭିନ୍ନ ପ୍ରକାରର ଚାରା ଗଛ ବଣ୍ଟନ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ଫଳ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହେବା ସହ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉନ୍ନତମାନର ବୃକ୍ଷରୋପଣ କଲେ ପରବର୍ତ୍ତୀ ସମୟରେ ଏହା ଚାଷୀ ମାନଙ୍କ ଜୀବନ ଜୀବିକା ରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ।
ସମସ୍ତଙ୍କ ଆନ୍ତରିକ ସହଯୋଗରେ ଜଙ୍ଗଲ ବୃଦ୍ଧି ଘଟିବା ସହ ପରିବେଶର ସୁରକ୍ଷା ସହିତ ହାତୀ ମଣିଷଙ୍କ ଲଢେଇର ଅବସାନ ଘଟିବ। ଏହି ଅବସରରେ ଆଜି ୩୦୦୦ ବୃକ୍ଷ ବିତରଣ କରାଯିବା ସହ ଆଗାମୀ ଦିନରେ ୧୬ ହଜାର ବୃକ୍ଷ ବିତରଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଦେବତା ପ୍ରକାଶ କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୁର୍ମୀତର ଖଣି ପକ୍ଷରୁ ୮୦ ହଜାର ବୃକ୍ଷ ବିତରଣ କରାଯାଇଥିବା ବେଳେ ଆଜି ବଣାଇଁ ସହରର ଲୋକେ ମଧ୍ୟ ଆଗ୍ରହ ସହକାରେ ଆସି ବିଭିନ୍ନ ପ୍ରକାରର ଫଳ ଚାରା ନେଉଥିବା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଣାଇଁ ରେଞ୍ଜ ଅଧିକାରୀ ଦେବାଶିଷ ନାୟକ ଙ୍କ ସହିତ ବନପାଳ ଜ୍ଞାନରଞ୍ଜନ ମାହାନ୍ତି, ବନରକ୍ଷୀ ଉତ୍କଳ କେଶରୀ ରାଉତ ଉପସ୍ଥିତ ରହି ଚାରା ବଣ୍ଟନ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ।

Leave A Reply

Your email address will not be published.