ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ  ଜୟନ୍ତୀ ପାଳିତ

Independence

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୬  ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୧ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଗଞ୍ଜାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଇନଡୋର ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି  ।  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୫ ଘ. ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା   । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତିଓ୍ବାସନ୍, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୃଣାଳିକା ରାଥୋଡ୍, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ଅବସ୍ଥାପିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଗାନ୍ଧିଜୀ  ଓ ଶାସ୍ତ୍ରିଜୀଙ୍କ ବିଚାରଧାରା, ନୀତି ଓ ଆଦର୍ଶକୁ ଆପଣେଇବା ସହିତ ନିଜ ଘର ଏବଂ ଆଖପାଖ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରି ରଖିବାକୁ ସ୍ଥାନୀୟ ବିଧାୟକ  କୃଷ୍ଣ ଚନ୍ଦ୍ର ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଛାତ୍ରଛାତ୍ରୀ ଯୁବ ସମାଜ ଆଗଭର ହେଲେ ସବୁ ଗାଁ ସବୁ ସହର ସଫା ସୁତୁରା ହୋଇ ରହିବା ସହ ସରସ ସୁନ୍ଦର ହୋଇପାରିବ ବୋଲି ଶ୍ରୀ ନାୟକ କହିଥିଲେ ।  

ଅହିଂସା ଓ ସତ୍ୟ ମାର୍ଗର ଜୀବନ ବାସ୍ତବରେ ଏକ ଅନନ୍ୟ ଜୀବନ । ଏହି ମାର୍ଗରେ ଜୀବନ ଅତିବାହିତ କରିବା ସହିତ ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆଜିର ଯୁବ ସମାଜକୁ ଆହ୍ବାନ ଜଣାଇଥିଲେ । ସତ୍ଯ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର  । ଏକ ସହଭାଗୀ ସମାଜ ଗଢିବାରେ ଏହି ସବୁ ନୀତି ଆଦର୍ଶର ଆବଶ୍ୟକତା ରହିଛି ବୋଲି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୃଣାଳିକା ରାଥୋଡ୍ ନିଜ ବକ୍ତବ୍ୟରେ କହିଥିଲେ ।

ସହରର ମାନ୍ୟଗଣ୍ୟବ୍ୟକ୍ତି ବିଶେଷଙ୍କ ଦ୍ବାରା ଗାନ୍ଧିଜୀଙ୍କ ତୈଳଚିତ୍ର ଓ ଶାସ୍ତ୍ରିଜୀଙ୍କ ତୈଳଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ ପରେ ସହରର ଜଣାଶୁଣା କଳାକାର ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ବୈଷ୍ଣବ ଜନ ତୋ ସଙ୍ଗୀତ ଓ ଅନ୍ୟାନ୍ୟ ଭଜନ ପରିବେଷଣ କରାଯାଇଥିଲା  । ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜାକ୍ ପବିତ୍ର କୋରାନ୍ ଓ ରେଭେଣ୍ଡର ସନ୍ତୋଷ ରାୟଙ୍କ ଦ୍ବାରା  ପବିତ୍ର ବାଇବେଲ ପାଠ  କରାଯାଇଥିଲା  ।  ଏହି କାର୍ଯ୍ୟକ୍ରମରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଅଂଶ ଗ୍ରହଣକାରୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି, ସ୍ବେଚ୍ଛାସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ,  ବିଜ୍ଞାପିତ ଅଞ୍ଚଳ ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ  । 

ad-week
Leave A Reply

Your email address will not be published.