
ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ମାନହାନୀ ମାମଲାରେ ଶାହରୁଖଙ୍କ ମାଲିକାନାରେ ଥିବା କମ୍ପାନୀ ରେଡ ଚିଲ୍ଲି ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଏହି ସମନ ଜାରି ହୋଇଥିବା ଜଣାପଡିଛି । ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ଆବେଦନ ଉପରେ ସମନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସାତ ଦିନ ମଧ୍ୟରେ ସମସ୍ତ ପକ୍ଷକୁ ନିଜ ଉତ୍ତର ଦାଖଲ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି କୋର୍ଟ ।
ସମୀର ୱାଙ୍ଖଡେ ଅଭିଯୋଗ କରିଛନ୍ତି, ୧୮ ସେପ୍ଟେମ୍ବରରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ୱେବସିରିଜରେ ତାଙ୍କ ସମ୍ମାନ ହାନି ହୋଇଛି । ଏନସିବି ଭଳି ଆଣ୍ଟି ଡ୍ରଗ ଏଜେନ୍ସୀର ଭ୍ରମାତ୍ମକ ଓ ନକାରାତ୍ମକ ଛବି ୱେବ ସିରିଜରେ ପ୍ରଦର୍ଶନ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା । ନେଟଫ୍ଲିକ୍ସ ସିରିଜ ବ୍ୟାଡସ ଅଫ ବଲିଉଡରେ ମିଥ୍ଯା, ମନ୍ଦ ଉଦ୍ଦେଶ୍ୟ ଓ ମାନହାନିସୂଚକ ଚିତ୍ରଣ କରାଯାଇଥିବା ଅଭିଯୋଗ କରିଛନ୍ତି ସମୀର ।
ଏନେଇ ମାନହାନି ମକଦ୍ଦମା ରୁଜୁ କରିବା ସହ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହାସହିତ ଶୋ କଣ୍ଟେଣ୍ଟକୁ ମାନହାନିକାରକ ଘୋଷଣା କରାଯିବାକୁ ଦାବି କରିଛନ୍ତି । ଏହି ଶୋ ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡିଛି । ତେଣୁ ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆସିଥିବା ଅଭିଯୋଗ କରିଛନ୍ତି ସମୀର । ଆଗାମୀ ୩୦ ତାରିଖରେ ମାମଲାର ଶୁଣାଣି ଅଛି ।
ସୂଚନାଯୋଗ୍ୟ, ୨୦୨୧ରେ ଏକ କ୍ରୁଜ ଜାହାଜରେ ପାର୍ଟି ଚାଲିଥିବାବେଳେ ଆର୍ଯ୍ୟନ ଖାନ ଏବଂ ଅନ୍ୟମାନେ ନିଶା ସେବନ କରିଥିଲେ । ଏହି ସମୟରେ ଏନସିବି ଅଧିକାରୀ ସମୀର ଓ ତାଙ୍କ ଟିମ ଚଢ଼ାଉ କରି ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସମୀର ଓ ତାଙ୍କ ଟିମ ଶାହରୁଖ ଖାନଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା ।