
ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲ ସହିତ ୩ଟି ସହର ଉପରେ ଏୟାରଷ୍ଟ୍ରାଇକ୍ । ତାଲିବାନର ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଭାରତ ଗସ୍ତ କରିଥିବା ବେଳେ ପାକିସ୍ତାନ କାବୁଲ ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି ଆକ୍ରମଣ ପରେ ଅବଦୁଲ ହକ୍ ଛକକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।
ପାକିସ୍ତାନୀ ଲଢ଼ୁଆ ବିମାନଗୁଡ଼ିକ ଆଫଗାନିସ୍ତାନର ରାଜଧାନୀ ଭିତରେ ଥିବା ଟିଟିପି ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାବୁଲରେ ପାକିସ୍ତାନ ତାଲିବାନ ମୁଖ୍ୟ ନୁର ୱଲି ମେହସୁଦଙ୍କ କାର ଏବଂ ଅତିଥିଶାଳାକୁ ଟାର୍ଗେଟ କରିଛି ପାକିସ୍ତାନ ।
ବିସ୍ଫୋରଣ ପରେ ତାଲିବାନ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ । ଘଟଣାର ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି କ୍ଷତି ହୋଇଥିବା ରିପୋର୍ଟ ହୋଇନାହିଁ ।
ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତାକି ଗୁରୁବାର ତାଙ୍କ ପ୍ରଥମ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ କାବୁଲରେ ଏହି ଆକ୍ରମଣ ହୋଇଛି । ଭାରତରେ ତାଙ୍କର ୧ ସପ୍ତାହର ରହଣି କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ଜାତିସଂଘ କଡ଼ା କଟକଣା ଲଗାଇଛି ।
ଅମିର ଖାନ ମୁତାକି ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଅଜିତ ଡୋଭାଲଙ୍କୁ ଭେଟିବେ । ମୁତାକିଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବାଣିଜ୍ୟ, ବିକାଶ ଏବଂ ସୁରକ୍ଷା ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।