
ଭୁବନେଶ୍ୱର : ଓଡ଼ିଶାରୁ ଫେରିଯିବ ମୌସୁମୀ । ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ । ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶାକୁ ଛାଡିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ ।
ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ । କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ରାଜ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବ । ବର୍ଷା ଛାଡ଼ିବା ପରେ ଶୀତ ପଡ଼ିବ । ୧୫ ତାରିଖରୁ ରାଜ୍ୟରେ ଶୀତ ପଡ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।