ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳା

youtube

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ବ୍ରହ୍ମପୁର ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର ଠାରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ସବଜୋନ୍ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ଦିଦିଙ୍କ ପ୍ରଥମ ପୁଣ୍ୟ ସ୍ମୃତି ଦିବସ ପାଳନ ଉପଲକ୍ଷେ ଏକ ତ୍ରିଦିବସୀୟ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନ ମାଳାର ଶୁଭ ଉଦଘାଟନ ସମାରୋହ ସନ୍ଧ୍ୟା 6 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଲୋଚ୍ୟ ବିଷୟ ଥିଲା – ”ବର୍ତ୍ତମାନ ସମୟରେ ଗୀତାଜ୍ଞାନର ଆବଶ୍ୟକତା” । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଷ୍ଟ୍ ବିଶ୍ବବିଦ୍ୟାଳୟର କୁଳପତି ଭ୍ରାତା ଡା. ପ୍ରିୟଦର୍ଶନ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଶ୍ରୀମଦ୍ ଭଗବତ୍ ଗୀତା ହେଉଛି ସଫଳ ଜୀବନ ଯାପନର ଧର୍ମଗ୍ରନ୍ଥ ଓ କର୍ମଗ୍ରନ୍ଥ । ଯେଉଥିରେ କି ବର୍ତ୍ତମାନର ସଂଘର୍ଷମୟ ପରିବେଶରେ ପରମାତ୍ମାଙ୍କ ମାନବ ଆତ୍ମାମାନଙ୍କ ପାଇଁ ମାର୍ଗପ୍ରଦର୍ଶନ ସନ୍ନିହିତ ଅଛି । ତେଣୁ ଗୀତା ଜ୍ଞାନକୁ ପ୍ରୟୋଗ କରି କର୍ମଫଳ ଇଚ୍ଛା ରହିତ ହୋଇ ଏକ ପରମାତ୍ମାଙ୍କ ସହ ବୁଦ୍ଧିଯୋଗ ସ୍ଥାପନ ଦ୍ବାରା ଆମ ନିଜ ଅନ୍ତର୍ନିହିତ ନକାରାତ୍ମକ ପ୍ରବୃତ୍ତିକୁ ଦମନ କରି ବାସ୍ତବ ଶାନ୍ତି, ସୁଖ, ଆନନ୍ଦର ଅଧତ୍କାରୀ ହୋଇପାରିବା ।

ଏହି କାର୍ଯ୍ୟକ୍ରମରେ 45 ବର୍ଷ ଧରି ଈଶ୍ବରୀୟ ସେବାରେ ସମର୍ପିତ ସ୍ବପ୍ରବନ୍ଧନ ପ୍ରଶିକ୍ଷିକା ତଥା ଅନ୍ତଃରାଷ୍ଟ୍ରୀୟ ପ୍ରେରକ ବକ୍ତା ରାଜଯୋଗିନୀ ବ୍ରହ୍ମାକୁମାରୀ ଡା. ଉଷାଦିଦିଜୀ ଶ୍ରୀମଦ୍ ଭଗବତ୍ ଗୀତା ପ୍ରବଚନର ପ୍ରଥମ ସୋପାନରେ ନିଜ ବକ୍ତବ୍ୟର କହିଥିଲେ ଯେ ବର୍ତ୍ତମାନର ଚରମ ଧର୍ମଗ୍ଳାନି ସମୟରେ ଯେତେବେଳେ କର୍ମରେ ଅଶୁଦ୍ଧି ଆସେ, ଅହଙ୍କାର ଚରମସୀମାରେ ପହଞ୍ଚିଯାଏ ତଥା ପ୍ରାପ୍ତ ହୁଏ ନାହିଁ ଏବଂ ମନୁଷ୍ୟକୁ ସତତ ଚେଷ୍ଟା ସତ୍ତ୍ବେ ଭଗବଦ୍ ପ୍ରାପ୍ତିର ସୁଗମମାର୍ଗ ଅନ୍ତିମ ସମୟରେ ଅନେକାନେକ ଶକୁନି, ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ… ଆଦି ନକାରାତ୍ମକ ଚରିତ୍ର ସର୍ବତ୍ର ବ୍ୟାପ୍ତ ଥିବା ସମୟରେ ପରମାତ୍ମା ଶିବଙ୍କର ଏକ ସାଧାରଣ ମାନବ ଶରୀରରେ ଦିବ୍ୟ ଅବତରଣ ହେବା ପୂର୍ବକ ବାସ୍ତବ ଗୀତାଜ୍ଞାନର ସ୍ପଷ୍ଟୀକରଣ ପ୍ରାପ୍ତ ହୁଏ ଯଦ୍ବାରା ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ପ୍ରକୃତି ଶକ୍ତିକୁ ଜାଣିପାରି ନମ୍ରତାର ସହ ପରିଚାଳିତ ହେବା ଦ୍ବାରା ଆସୁରୀ ପ୍ରବୃତ୍ତିର ଦମନ ହୋଇ ଦୈବୀ ପ୍ରବୃତ୍ତିର ଜାଗରଣ ହୁଏ । ବ୍ରହ୍ମପୁର ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ସ୍ବାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସଙ୍କଟ ସମୟରେ ଯେତେବେଳେ ନିଜ ଚେତନାରେ ନିରନ୍ତର ଯୁଦ୍ଧ ସଙ୍ଘଟିତ ହୁଏ ସେହି ପରିପ୍ରେକ୍ଷୀରେ ଭଗବାନଙ୍କ ସହ ଅର୍ଜୁନଙ୍କ ବାର୍ତ୍ତାଳାପ ଦ୍ବାରା ପରିଚାଳିତ ହୋଇ ମନୁଷ୍ୟ ସ୍ଥିର ବୁଦ୍ଧି ତଥା ଦୃଢ଼ ଇଚ୍ଛା ଶକ୍ତି ସମ୍ପନ୍ନ ହେବା ପୂର୍ବକ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଉକ୍ତ କାର୍ଯ୍ୟକ୍ରମରେ କୁମାରୀ ଆଦିତ୍ରୀ ଏବଂ ଅଭିସ୍କା ସ୍ବାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ମାଉଣ୍ଟ ଆବୁରୁ ଆସିଥିବା ବ୍ରହ୍ମାକୁମାରୀ ଅସ୍ମିତା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.