
ଉମରକୋଟ : ଆଜି ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ, ନବରଙ୍ଗପୁର ଶାଖା ପକ୍ଷରୁ କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସଭାଗୃହରେ ଏକ ବିସ୍ତୃତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକଙ୍କ ଉପସ୍ଥିତିରେ ଏହି ବୈଠକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଥିଲା।
ସଂଘର ଜିଲ୍ଲା ସଭାପତି ଶ୍ରୀ ଶେଖର ଖୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସେମାନଙ୍କର ନୈତିକ ଦାୟିତ୍ୱ, ଏକତା ଓ ସମନ୍ୱୟ ଉପରେ ଖୋଲାଖୋଲି ଭାବରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକରୀ ନିଜର ଦୀର୍ଘ ସାମ୍ବାଦିକତା ଅଭିଜ୍ଞତାକୁ ଆଧାର କରି ନୈତିକ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତାର ମୂଲ୍ୟବୋଧ ବିଷୟରେ ଗଭୀର ଆଲୋକପାତ କରିଥିଲେ ଏବଂ ସଦସ୍ୟମାନଙ୍କୁ ପ୍ରେରିତ କରିଥିଲେ।
ସଂଘର ସାଧାରଣ ସମ୍ପାଦକ ଅଶୋକ ସାହୁ ଏହି ସଂଗଠନ ଗଠନର ପୃଷ୍ଠଭୂମି ଓ ଲକ୍ଷ୍ୟ ବିଷୟରେ ସ୍ପଷ୍ଟ କରି କହିଥିଲେ ଯେ, “ଏହା କେବଳ ଏକ ସଂଘ ନୁହେଁ, ଏକ ପରିବାର। ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ସାମ୍ବାଦିକତା ସହ ସମାଜସେବା କରିବା ଆମର ପ୍ରମୁଖ ଉଦ୍ଦେଶ୍ୟ।”
ଉପ-ସଭାପତି ହିମାଂଶୁ ଶେଖର ବାଘ ‘ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ’ ଗଠନ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସେ ଜଣାଇଥିଲେ ଯେ ଏହି ଟ୍ରଷ୍ଟ ମାଧ୍ୟମରେ ଜରୁରୀ ସମୟରେ ସାମ୍ବାଦିକଙ୍କ ସୁରକ୍ଷା, ଅର୍ଥସାହାଯ୍ୟ ଓ ସ୍ୱାସ୍ଥ୍ୟ ସହାୟତା ସୁନିଶ୍ଚିତ କରାଯିବ।
ଏହା ସହିତ ଆଗାମୀ ଦିନରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ସଚେତନତା ଅଭିଯାନ ଏବଂ ନବଦିଗନ୍ତୀ ଯୋଜନା ନେଇ ମଧ୍ୟ ବିସ୍ତୃତ କାର୍ଯ୍ୟପରିକଳ୍ପନା ଗ୍ରହଣ କରାଯାଇଥିଲା।
ସଭାର ଶେଷରେ ଜିଲ୍ଲା ଉପ-ସଭାପତି ନରସିଂହ ବାଘ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସମ୍ମାନପୂର୍ବକ ବୈଠକର ସମାପନ ଘୋଷଣା କରିଥିଲେ।