
ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ ୩ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ ଜାରି ହୋଇଛି ।
ତେବେ ଏହାର ପ୍ରଭାବ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫରୁ ରବିବାର ମଧ୍ୟାହ୍ନରେ ୩ଟି ଟିମ୍ ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନକୁ ଯାଇଛନ୍ତି । ଗୋଟିଏ ଟିମ୍ ଶ୍ରୀକାକୁଲମ ଓ ଦୁଇଟି ଟିମ୍ ଭାଇଜାକ ବାହାରିଛନ୍ତି ।
ଗୋଟିଏ ଟିମରେ ୩ ଜଣ ଅଫିସରଙ୍କ ସହିତ ୩୨ ଜଣ ଯବାନ ଅଛନ୍ତି । ଦରକାର ଅନୁଯାଇ ଅଧିକ ଟିମ୍ ନିୟୋଜିତ ହେବେ ବୋଲି ଏନ୍ଡିଆରଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତି ଟିମ୍ରେ ଓବିଏମ୍, ବୋଟ୍, ଗଛ କଟା ଯନ୍ତ୍ରାଂଶ, ଦଉଡ଼ି, ଡିପ୍ ଡାଇଭିଂ ସେଟ୍, ଅମ୍ଳଜାନ ସିଲିଣ୍ଡର ଇତ୍ୟାଦି ଯୋଗାଇ ଦିଆଯାଇଛି । ପ୍ରତି ଟିମ୍ ସହିତ ଗୋଟିଏ ଲେଖାଏଁ ବୋଲୋରୋ, ବସ୍ ଓ ଟ୍ରକ୍ ସାମିଲ ହୋଇଛି । ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ତିନି ଟିମ୍କୁ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଡକ୍ଟର ତୀର୍ଥବାସୀ ସାହୁ ନେତୃତ୍ବ ନେଉଥିବା ସୂଚନା ମିଳିଛି ।