
ମାଲକାନଗିରି : ଆଜି ମାଲକାନଗିରିର ଦୁର୍ଗମ ବଣ୍ଡା ଘାଟି ଅଞ୍ଚଳରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ସୁଟିଂ କରାଯାଇଥିଲା । ବଣ୍ଡା ଘାଟି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫୦୦୦ ମିଟର ରୁ ଅଧିକ ଉଚ୍ଚରେ ଅବସ୍ଥିତ ଏବଂ ଏଠାରେ ବଣ୍ଡା ଜାତିର ଆଦିମ ଜନଜାତି ବସବାସ କରନ୍ତି । ଏହି ଅଞ୍ଚଳର ପୌରାଣିକ କାହାଣୀ ଅନୁଯାୟୀ, ଏକଦା ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ବନବାସ ସମୟରେ ଏଠାରେ କିଛିଦିନ ବାସ କରିଥିଲେ। କିନ୍ତୁ କଠିନ ଯୋଗାଯୋଗ ପରିସ୍ଥିତି ଯୋଗୁଁ ଲୋକମାନଙ୍କର ଆର୍ଥିକ ପରିସ୍ଥିତି, କୃଷି ଓ ଶିକ୍ଷା ଅତି ଶୋଚନୀୟ ଅବସ୍ଥାରେ ଥିଲା ଆଜି କିନ୍ତୁ ଓଡ଼ିଶା ସରକାରଙ୍କ ପ୍ରୟାସରେ ଏହି ସ୍ଥିତି ରେ ପରିବର୍ତ୍ତନ ଆସିଛି। ଆଜି ସରକାରଙ୍କ ତରଫରୁ ଏହି ଅଞ୍ଚଳର ଶିକ୍ଷା, ସାମାଜିକ ସ୍ଥିତି, ସ୍ବତନ୍ତ୍ର ପୋଷାକ ଓ ପରମ୍ପରା ସହ ସେମାନେ ଜଙ୍ଗଲ ଉପରେ କିପରି ନିର୍ଭର କରନ୍ତି ଜଙ୍ଗଲରୁ କେଉଁ ଜିନିଷ ଆବଶ୍ୟକ କରନ୍ତି, ସେମାନଙ୍କର ଜଙ୍ଗଲ ଜମି ତଥା ଠେଙ୍ଗାପାଳି ମାଧ୍ୟମରେ ଜଙ୍ଗଲ ସୁରକ୍ଷା କେମିତି କରନ୍ତି ବିଷୟରେ ସୁଟିଂ କରାଯାଇଥିଲା । ସେହିପରି ଛୋଟ ଛୋଟ ଶିଶୁ ମାନଙ୍କ ପୋଷଣ ସ୍ଥିତି, ସେମାନେ କିପରି ସ୍କୁଲକୁ ଯାଆନ୍ତି, ଡ୍ରପ ଆଉଟ ପିଲାଙ୍କୁ ଶିକ୍ଷକମାନେ କିପରି ଘରକୁ ଘର ଯାଇ ଡାକନ୍ତି , ସ୍କୁଲ ଯିବାକୁ କିପରି ଉତ୍ସାହିତ କରନ୍ତି ସେହି ବିଷୟରେ ଏହି ଡକ୍ୟୁମେଣ୍ଟରୀ ଫିଲ୍ମରେ ସମ୍ପୂର୍ଣ ଉପସ୍ଥାପନା କରାଯାଇଛି। ଖବର ଶୁଣି ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଦେଖିବାକୁ ଭିଡ ଜମି ଥିଲା । ଏଥିରେ ଗ୍ରାମବାସୀ ଓ ଶିକ୍ଷକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।