
ଭୋପାଳ: ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି । ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଭୋପାଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେହିଭଳି ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ବିମାନକୁ ମଙ୍ଗୋଲିଆ ଉଲାନବାତାରକୁ ଡାଇଭର୍ଟ କରାଯାଇଥିଲା ।
ଖବର ମୁତାବକ, ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬:୩୧ ସମୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଭରୁଥିବା ବିମାନ AI 2487ରେ ବିମାନରେ ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହା ଫଳରେ ବିମାନଟିକୁ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନର ଥିବା ସମସ୍ତ ୧୭୨ ଜଣ ଯାତ୍ରୀ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା ।
ଏୟାରଲାଇନ୍ସର ପ୍ରବକ୍ତା କହିଛନ୍ତି, ଯାଞ୍ଚ ଚାଲିଛି । ଆମକୁ ସମୟ ଲାଗିବ । ଯାତ୍ରୀଙ୍କୁ ଖାଇବା ପିଇବା ଦିଆଯାଇ ଅନ୍ୟ ଏକ ବିମାନ ବ୍ୟବସ୍ଥା କରାଯାଇଥିଲା । ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।
ସେହିଭଳି ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଯାନ୍ତ୍ରିକ ତ୍ରୁଟି ଆସିବାରୁ ବିମାନକୁ ମଙ୍ଗୋଲିଆର ରାଜଧାନୀ ଉଲାନବାତାରରେ ଅବତରଣ କରାଯାଇଥିଲା । ବିମାନଟି ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଯାଇଥିଲା ।