
ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ କୁଷ୍ଠ ରୋଗ ନିରାକରଣ ଓ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ ଜିଲ୍ଲା ଗଠନ ପାଇଁ ଆଗାମୀ ୧୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହେବ। ସୂଚନାପ୍ରକାରେ ଏହାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ଗତକାଲି ସନ୍ଧ୍ୟା ୬.୩୦ ରେ ନବରଙ୍ଗପୁର ର ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବିଶେଷ ଅଭିଯାନ ୯ଟି ବ୍ଲକର ୧୮୮୨ଟି ଗ୍ରାମରେ କରାଯିବ। କେବଳ ରାଇଘର ବ୍ଲକକୁ ଏଥିରୁ ବ୍ୟତୀତ କରାଯାଇଛି। ମୋଟ ୧୦ ଟି କାର୍ଯ୍ୟଦିନ ଧରି ଏହି ଚିହ୍ନଟ କାର୍ଯ୍ୟ ଚାଲିବାରୁ ଗାଁ ସ୍ତରରୁ ନେଇ ସ୍କୁଲ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହାର ଆବହବ ପ୍ରାପ୍ତ ହେବ ବୋଲି ଆଶା କରାଯାଇଛି।
ସମ୍ପ୍ରତି ଜିଲ୍ଲାରେ କୁଷ୍ଠ ରୋଗ ସଂକ୍ରମଣ ହ୍ରାସ ପାଇଛି। ୨୦୨୪–୨୫ ଅର୍ଥ ବର୍ଷରେ ଯେଉଁଠାରେ ୪୦୮ ନୂତନ ରୋଗୀ ଚିହ୍ନଟ ହୋଇଥିଲେ, ଏବର୍ଷ ୨୦୨୫–୨୬ ସେପ୍ଟେମ୍ବର ସୁଦ୍ଧା କେବଳ ୧୨୭ ନୂତନ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଜିଲ୍ଲାର ୨୪୨ ଜଣ ସକ୍ରିୟ କୁଷ୍ଠ ରୋଗୀ ସରକାର ପ୍ରଦତ୍ତ ମାଗଣା ଔଷଧ ରେ ନିୟମିତ ଚିକିତ୍ସାରେ ଅଛନ୍ତି।
ଏହି ବର୍ଷ ଚିହ୍ନଟ କାର୍ଯ୍ୟରେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ବ୍ଲକ୍ ମେଡିକାଲ୍ ଟିମ୍, ସୁପରଭାଇଜର ମାନଙ୍କୁ ବିଶେଷ ଦାୟିତ୍ୱ ଦିଆଯାଇଛି। ଗ୍ରାମ ସଭା, ସ୍କୁଲ୍ ସଚେତନତା କାର୍ଯ୍ୟକ୍ରମ, ଘରେଘରେ ସର୍ବେ କାମ ଓ ସନ୍ଦିଗ୍ଧ ରୋଗୀଙ୍କର ତୁରନ୍ତ ଚିକିତ୍ସାରେ ଅଧିକ ଗୁରୁତ୍ୱ ଦିଆଯିବ। ୧୩ ଡିସେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଅଭିଯାନର ଚୁଡାନ୍ତ ରିପୋର୍ଟ ଦାଖଲ କରାଯିବ।
ବୈଠକରେ ଏ ଡି ପି ଏଚ ଓ (କୁଷ୍ଠ) ଡ଼. ସୁକାନ୍ତ ଶତପଥୀ, ଏ ଡି ପି ଏଚ ଓ (ମ୍ୟାଲେରିଆ) ଡ଼. ଏନ. ରବିବାବୁ, ଏ ଡି ପି ଏଚ ଓ (ବି.ଭି.ଡି) ଡ଼. ମଳୟ ପଣ୍ଡା, ଡିଆଇପିଆରଓ ମନୋଜ ବେହେରା, ଡିଏସଏସଓ ସୁଧାଂଶୁ ପାତ୍ର, ଡିଏସଡବ୍ଲ୍ଉଓ ଦ୍ରୌପଦୀ କହଁର, ଜିଲ୍ଲା କୁଷ୍ଠ ରୋଗ ପରାମର୍ଶଦାତା ଇର୍ଷାତ ଖାଁ, ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି ବୈଠକ ମାଧ୍ୟମରେ ଜିଲ୍ଲାକୁ କୁଷ୍ଠ ମୁକ୍ତ କରିବା ପ୍ରତି ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ତ୍ୱ ଓ ପୃଥକ ସଂକଲ୍ପ ସ୍ପଷ୍ଟ ହୋଇଛି।