
ଜାପାନ : ଭାରତର ଆଣ୍ଡାମାନ ନିକୋବର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ୬.୮ର ତୀବ୍ରତାରେ ଥରିଉଠିଲା ସାନରିକୁ ଅଞ୍ଚଳ । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଇୱାଟେ ପ୍ରଦେଶ ପାଇଁ ସୁନାମୀ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।
ଭୂକମ୍ପର ଝଟକା ଅନୁଭୂତ ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଇୱାଟେ ପ୍ରଦେଶର ୟାମାଡା ଠାରୁ ପ୍ରାୟ ୧୨୬ କିଲୋମିଟର ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି । ସେହିପରି ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭରୁ ୧୦ କିଲୋମିଟର ତଳେ ଥିବା ସୂଚନା ମିଳିଛି ।
ମୋରିଓକା ସହର ଏବଂ ୟାହାବା ଟାଉନ୍ ସମେତ ଅନେକ ଅଞ୍ଚଳରେ ଭୂକମ୍ପର ତୀବ୍ରତା ଥିଲା ୪ । ଯାହା ଫଳରେ କୋଠାଗୁଡ଼ିକ ଦୋହଲିଥିବା ଦେଖିବାକୁ ମିଳିଥିଲା । ସୁନାମୀ ଯୋଗୁ ଇୱାଟେ ଉପକୂଳରେ ୩ ଫୁଟ ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି । ଏନେଇ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ ।