
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗଢ ଥାନା ସ୍ଥିତ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଯୋଗୁଁ ଏକ ସ୍କର୍ପିଓ କାର୍ ରାସ୍ତାକଡ଼ରେ ଛିଡା ହୋଇଥିବା ଅନେକ ଲୋକଙ୍କୁ ଧକ୍କା ଦେବା ପରେ ବିଜୁଳି ଖୁଣ୍ଟରେ ଧକ୍କା ହୋଇଥିଲା । ଘଟଣା ପରେ ସ୍କର୍ପିଓରେ ଥିବା ଡ୍ରାଇଭର ସହିତ ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ରହିଥିଲେ । ଘଟଣାରେ ୩ ଜଣ ଲୋକ ଗୁରୁତର ଆହ ହୋଇଛନ୍ତି ।
ତେବେ ଦୁର୍ଘଟଣା ତେନ୍ଦୁଆ କୋଠାର ଗାଁ ନିକଟରେ ହୋଇଥିଲା । ସନ୍ଧ୍ୟା ୬ଟାରେ ଏକ କାର୍ ଛତିଶଗଡରୁ ପ୍ରୟାଗରାଜ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା କାର୍ ସାଇକେଲ ଧରି ରାସ୍ତା ପାର ହେଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଚକ୍କରରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଠିନ ପରିଶ୍ରମ କରି ଉତ୍ତେଜିତ ଲୋକଙ୍କୁ ଶାନ୍ତ କରିଥିଲେ ।