ପଥର କୁଆଁରୀରେ କାମ କରି ପାଇଲେନି ମଜୁରୀ, ଅଫିସ ବନ୍ଦ ଥିବାରୁ ଗଣ ମାଧ୍ୟମ ଜରିଆରେ ପ୍ରଶାସନକୁ ଜଣାଇଲେ ଗୁହରୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟେକାଲଗୁଡା ଗ୍ରାମ ନିକଟରେ ଥିବା ପଥର କୁଆଁରୀରେ ମାସ ମାସ ଧରି କାମ କରିବା ପରେ ମାଲିକ ମଜୁରୀ ନଦେବାରୁ ଶେଷରେ ଅସହାୟ ହୋଇ ଘରକୁ ଫେରିଛନ୍ତି ବାହାର ରାଜ୍ୟର ୫ ଶ୍ରମିକ। ସୁଚନା ଅନୁଯାୟୀ ଗତ କିଛି ମାସ ପୂର୍ବରୁ ଝାଡ଼ଖଣ୍ଡ ଅଞ୍ଚଳର ଗଙ୍ଗାରାମ ଗୌଡା ନାମକ ଜଣେ ବ୍ୟକ୍ତିଙ୍କ ସହ ୫ ଜଣ କୁଶଳୀ ଶ୍ରମିକ ପଡିଆ ବ୍ଲକ ଅନ୍ତର୍ଗତ ଟେକାଲଗୁଡା ଗ୍ରାମରେ ଥିବା ପଥର କୁଆଁରୀ ମାଲିକ ପଥର ଖାଦାନରେ କାମ କରିବାକୁ ଡାକିଥିଲେ। କାମ ବାବଦରେ ଜାଣିବା ସହ ମଜୁରୀ ବାବଦରେ ଆଲୋଚନା ପରେ ଗଙ୍ଗାରାମ ତାଙ୍କ ଅଞ୍ଚଳର ୫ ଜଣ ଶ୍ରମିକଙ୍କୁ ନେଇ ଟେକାଲଗୁଡା ଗ୍ରାମକୁ ଆସିଥିଲେ। ସେଠାରେ ପ୍ରଥମ ସପ୍ତାହ କାମ ସାରିବା ପରେ କେବଳ ବଜାର ଖର୍ଚ ପାଇଁ କିଛି ଟଙ୍କା ଦେଇ ବଳକା ଟଙ୍କା ମାସ ଶେଷରେ ଦେବେ ବୋଲି ଖାଦାନ ମାଲିକ କହିଥିଲେ। ତେବେ ମାସ ପରେ ମାସ ବିତିଯାଇଥିଲେ ମଧ୍ୟ କୁଆଁରୀ ମାଲିକ ଉକ୍ତ ଶ୍ରମିକ ମାନଙ୍କୁ ମଜୁରୀ ଦେବା ପରିବର୍ତ୍ତେ ଦିନପରେ ଦିନ ଗଡେଇ ଚାଲୁଥିଲେ।

ଶ୍ରମିକ ମାନେ ବାରମ୍ବାର ନେହୁରା ହେବା ସତ୍ତ୍ୱେ ମଜୁରୀ ନମିଳିବାରୁ ସେଠାରୁ ପୁଣି ନିଜ ରାଜ୍ୟକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶ୍ରମିକ ମାନେ କହିଛନ୍ତି । ଏଥିପାଇଁ ସମସ୍ତେ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ନିଲିଗୁଡା ଠାରେ ମଜୁରୀ ନପାଇ ଘରକୁ ଫେରିବା କୋହରେ କାନ୍ଦୁଥିବା ବେଳେ କିଛି ସମାଜସେବୀଙ୍କ ଦୃଷ୍ଟିରେ ପଡିଥିଲେ । ଏହାପରେ ତାଙ୍କ ସହଯୋଗରେ ସମସ୍ତ ପାଞ୍ଚଜଣ ଶ୍ରମିକ ମାଲକାନଗିରି ଅଭିମୁଖେ ଯାଇଥିଲେ ଓ ସେଠାରେ ଗଣମାଧ୍ୟମ ସମ୍ମୁଖରେ ଶ୍ରମିକ ମାନେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ବାବଦରେ କହିଥିଲେ। ବାହାର ରାଜ୍ୟରୁ ଆସି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଚିତ୍ର ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ସେମାନଙ୍କ ଉଦ୍ଧାର ଦିଗରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଇ ନଥିବା ଜଣାପଡିଛି। ଅନ୍ୟପଟେ କୁଆଁରୀ ମାଲିକ କେଉଁ କାମ ଲାଗି ଓ କେଉଁଭଳି ଶ୍ରମିକ ନିଜର କୁଆଁରୀକୁ ଆଣିଥିଲେ ଏବାବଦରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆଯାଇଛି କି ନାହିଁ ଏ ସମସ୍ତ୍ ବିଷୟବସ୍ତୁ ଏବେବି ପ୍ରଶ୍ନବାଚୀ ହୋଇ ରହିଛି। ତେବେ ଉକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବା ସହ ଘଟଣା ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଆ ବ୍ଲକର କିଛି ଶ୍ରମିକ ମତ ଦେଇଛନ୍ତି।

ad-week
Leave A Reply

Your email address will not be published.