
ନୂଆଦିଲ୍ଲୀ : ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଅପରେସନ ସିନ୍ଦୂର ଟ୍ରେଲର ମାତ୍ର । ବାକି ଅଛି ପୁରା ଫିଲ୍ମ । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଏମିତିକି ସୁଯୋଗ ମିଳିଲେ, ପଡ଼ୋଶୀକୁ କିପରି କରାଯାଏ ବ୍ୟବହାର ଶିଖାଇ ଦେବୁ । ପଡୋଶୀ ଦେଶକୁ ଜେନେରାଲ ଦ୍ବିବେଦୀଙ୍କ ଚେତାବନୀ ।
ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, ଭାରତୀୟ ସେନା ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ କଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୧ପ୍ରତିଶତ ପାକିସ୍ତାନୀ ଥିଲେ । ଶତ୍ରୁ ପାକିସ୍ତାନ ହେଉ କିମ୍ବା ଏହାର ସମର୍ଥିତ ଆତଙ୍କବାଦୀ, ପ୍ରତ୍ୟେକ ବିପଦର ଉପଯୁକ୍ତ ଜବାବ ଦେବାର କ୍ଷମତା ସେନାର ଅଛି ।
ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି, ଏବଂ ଆଜିର ଯୁବପିଢ଼ି ଭାରତ ସହିତ ଏକ ଭବିଷ୍ୟତ ଦେଖୁଛନ୍ତି ବୋଲି ଦ୍ୱିବେଦୀ କହିଛନ୍ତି । ଅପରେସନ୍ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଜେନେରାଲ୍ ଦ୍ୱିବେଦୀ କହିଥିଲେ, “ଏହା କେବଳ ଏକ ଟ୍ରେଲର ଥିଲା । ଆବଶ୍ୟକ ହେଲେ, ପାକିସ୍ତାନକୁ ଶିଖାଯିବ ଯେ, ଏକ ଦାୟିତ୍ୱବାନ ଦେଶ ତା’ର ପଡ଼ୋଶୀ ସହିତ କିପରି ବ୍ୟବହାର କରେ ।” ଭାରତ କୌଣସି ପ୍ରକାରର ପରମାଣୁ ବୋମାକୁ ନେଇ ଭୟ କରିବ ନାହିଁ । ଏହି ଯୁଦ୍ଧ ୪ ମାସ ଚାଲୁ କିମ୍ବା ୪ ବର୍ଷ, ଭାରତୀୟ ସେନା ପ୍ରତ୍ୟେକ କ୍ଷେତ୍ରରେ ପ୍ରସ୍ତୁତ ରହିଛି ।