
କୋଟପାଡ଼ : କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ସ୍ୱପ୍ନେଶ୍ୱର ନାୟକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ନିକଟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଲୋକପ୍ରତିନିଧିଙ୍କ ଯୋଗଦାନକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, କୋଟପାଡ଼ସ୍ଥିତ ପିଏମ୍ଶ୍ରୀ ବିଦ୍ୟାଳୟରେ ଅନୁଷ୍ଠିତ ବାଳ ବୈଜ୍ଞାନିକ ଶିବିର କାର୍ଯ୍ୟକ୍ରମରେ କୌଣସି ଲୋକପ୍ରତିନିଧି କିମ୍ବା ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ, ଏପରିକି ସାମ୍ବାଦିକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିଲା। ବିଇଓ ଶ୍ରୀ ନାୟକ ନିଜ ଇଚ୍ଛା ମୁତାବକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।
ବିଇଓ ଶ୍ରୀ ନାୟକଙ୍କ କାର୍ଯ୍ୟଶୈଳୀକୁ ନେଇ ଏହା ପ୍ରଥମ ଅଭିଯୋଗ ନୁହେଁ। ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ବିଭିନ୍ନ ପ୍ରଶାସନିକ ନିର୍ଦ୍ଦେଶକୁ ଅମାନ୍ୟ କରିବାର ଅଭିଯୋଗ ରହିଛି। ବ୍ଲକ୍ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଦାୟିତ୍ୱରେ ଥାଇ ମଧ୍ୟ ସେ ଛୁଟିରେ ରହି ଅତିରିକ୍ତ ବିଇଓଙ୍କୁ ଦାୟିତ୍ୱ ଦେଇଥିଲେ, ଯାହାକୁ ବିଭିନ୍ନ ମହଲ ଗ୍ରହଣ କରିପାରିନାହାନ୍ତି। ଚଳିତ ବର୍ଷ ବିଜ୍ଞାନ ମେଳା ପରିଚାଳନା ପାଇଁ ଚିରାଚରିତ ପରମ୍ପରାକୁ ଭାଙ୍ଗି ଚାରିଜଣ ସିଆର୍ସିସିଙ୍କୁ ଦାୟିତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି। ଚଳିତ ବାଳ ବୈଜ୍ଞାନିକ ଶିବିରରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପରିବେଷଣ ଏବଂ ସୁପରିଚାଳନା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୋଟପାଡ଼ ବ୍ଲକ୍ ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ପୂର୍ବରୁ କୋରାପୁଟ ଜିଲ୍ଲାରେ ସବୁବେଳେ ଆଗରେ ରହିଆସିଛି। ମାତ୍ର, ବିଇଓଙ୍କ ଏହି “ମନୋମୁଖୀ କାର୍ଯ୍ୟ” ଓ “ହିଟଲରୀ ଶାସନ” ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି।
ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଶିକ୍ଷା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ବିଇଓ ଶ୍ରୀ ସ୍ୱପ୍ନେଶ୍ୱର ନାୟକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।
ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ଏବଂ ରାଜ୍ୟ ଶିକ୍ଷା ପ୍ରଶାସନ ଉପରେ ରହିଛି ଯେ, ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅବମାନନା କରୁଥିବା ଏହି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ମାମଲାକୁ ଚାପି ଦିଆଯାଉଛି।