
ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବଡ଼ ସୁରାକ ମିଳିଛି । ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା କଳ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ । ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ଏହି ମିଲ୍ ଏବଂ ଯନ୍ତ୍ରପାତି ଜବତ କରିଥିଲା ।
ଜମ୍ମୁ-କାଶ୍ମୀରର ପୁଲୱାମାର ବାସିନ୍ଦା ଗଣାଇ ଫରିଦାବାଦର ଏକ ଭଡା ଘରେ ଏକ ଅଟା କଳ ସାହାଯ୍ୟରେ ୟୁରିଆକୁ ସୂକ୍ଷ୍ମ ଭାବରେ ପେଷୁଥିଲେ ଏବଂ ତା’ପରେ ଏକ ବୈଦ୍ୟୁତିକ ମେସିନ୍ ସାହାଯ୍ୟରେ ଏହାକୁ ବିଶୋଧନ କରି ରାସାୟନିକ ପଦାର୍ଥ ପ୍ରସ୍ତୁତ କରୁଥିଲେ ।
ଗତ ନଭେମ୍ବର ୯ ତାରିଖରେ ପୋଲିସ ସେହି ସ୍ଥାନରୁ ୩୬୦କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା । ଏହି ଉପାୟରେ ୟୁରିଆରୁ ଆମୋନିୟମ୍ ନାଇଟ୍ରେଟ୍ ପୃଥକ କରି ବିସ୍ଫୋରକ ପ୍ରସ୍ତୁତ କରୁଥିଲା ବୋଲି ପଚରାଉଚରା ସମୟରେ ଅଭିଯୁକ୍ତ ଗଣାଇ ସ୍ୱୀକାର କରିଥିଲା । ସେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଥିଲେ ।
NIA ଦଳ ଫରିଦାବାଦ ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି । ଯାହାଙ୍କ ଘରୁ ଉପକରଣଗୁଡ଼ିକ ଉଦ୍ଧାର କରାଯାଇଥିଲା । ଡ୍ରାଇଭର ଜଣକ କହିଛନ୍ତି, ସେ ପ୍ରାୟ ଚାରି ବର୍ଷ ପୂର୍ବେ ଗଣାଇଙ୍କୁ ଭେଟିଥିଲେ ଯେତେବେଳେ ସେ ତାଙ୍କ ପୁଅର ଚିକିତ୍ସା ପାଇଁ ଅଲ୍-ଫଲାହ ମେଡିକାଲ୍ କଲେଜ ଯାଇଥିଲେ ।