
କୋରାପୁଟ : 02/12/25 : କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ‘ପ୍ରଗତି’ କୋରାପୁଟ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ PWC India Foundation ସହାୟତାରେ ଆରମ୍ଭ କରାଯାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ କୃଷି ପ୍ରକଳ୍ପର ଉଦଘାଟନ କର୍ମଶାଳା ଆୟୋଜିତ ହୋଇଯାଇଛି I

ଏହି କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଶୁଭକାମନା ଜଣାଇବା ସହ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ I PWC ର କାର୍ଯ୍ୟକ୍ରମ ଅଧିକାରୀ ପୁଣ୍ୟଶୀଲ ୟାନଜୋନ PWC India Foundation ର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ଲମତାପୁଟ ବ୍ଲକରେ ଆରମ୍ଭ କରାଯାଉଥିବା ପ୍ରକଳ୍ପର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ପ୍ରକଳ୍ପର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟକ୍ରମ ଓ ଆର୍ଥିକ ଅଟକଳ ସମ୍ପର୍କରେ ପ୍ରଗତିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥାପନା କରିଥିଲେ I ପ୍ରକଳ୍ପ ଲମତାପୁଟ ବ୍ଲକର ତୁଷବା ଗ୍ରାମପଞ୍ଚାୟତରେ ୫ଟି ଗ୍ରାମରେ କାର୍ଯ୍ୟକାରୀ କରାଯିବ I କାର୍ଯ୍ୟକ୍ରମ ଜରିଆରେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ କୂପ ଖନନ, ସୌର ଚାଳିତ ପମ୍ପ, ମୃତ୍ତିକା ସଂରକ୍ଷଣ, ଫଳ ବଗିଚା ସୃଷ୍ଟି, ଶ୍ରୀ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ, ଅଧା ଏକର ଆଦର୍ଶ ବଗିଚା ଇତ୍ୟାଦି କାର୍ଯ୍ୟକ୍ରମ କରାଯିବ I ଏଥି ନିମନ୍ତେ ଚାଷୀମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବ I

ପ୍ରକଳ୍ପରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ, ଜିଲ୍ଲା କୃଷି ଅଧିକାରୀ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ, ଓଡିଶା ଜୀବିକା ମିଶନ ଜିଲ୍ଲା ସଂଯୋଜିକା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଉପସ୍ଥିତ ରହି ସେମାନଙ୍କର ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପ୍ରକଳ୍ପ ଅଞ୍ଚଳରେ ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ସହମତି ପ୍ରଦାନ କରିଥିଲେ I ଜିଲ୍ଲା ଯୋଜନା ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଆକାଂକ୍ଷା ଜିଲ୍ଲା କୋରାପୁଟ ତଥା ଲମତାପୁଟ ବ୍ଲକରେ କିପରି ଜିଲ୍ଲା ପ୍ରଶାସନ ସହାୟତାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବିକାଶ ହୋଇପାରିବ ସେଥିନିମନ୍ତେ ଜିଲ୍ଲା ପ୍ରଶାସନ ଓ ସମସ୍ତ ବିଭାଗର ସହଯୋଗ ରହିବ ବୋଲି ମତ ବ୍ୟକ୍ତ କରିଥିଲେ I
କୃଷି ବିଜ୍ଞାନ କେନ୍ଦ୍ର, କୋରାପୁଟର ବରିଷ୍ଠ କୃଷି ବୈଜ୍ଞାନିକ ଡଃ ସୁନିତା ଦଣ୍ଡସେନା କୃଷି ବିଜ୍ଞାନ କେନ୍ଦ୍ର କିପରି କୋରାପୁଟ ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା କୃଷି କ୍ଷେତ୍ର ପ୍ରଦର୍ଶନୀ, ବିହନ ଉତ୍ପାଦନ, କୃଷି ଯନ୍ତ୍ରପାତି ଇତ୍ୟାଦି ବିଷୟରେ ଅବଗତ କରାଇବା ସହ ପ୍ରକଳ୍ପରେ ଏହାର ସମନ୍ୱୟ କରିବା ଦିଗରେ ସହଯୋଗ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ I ICAR – ଭାରତୀୟ ଜଳ ପରିଚାଳନା କେନ୍ଦ୍ର, ଭୁବନେଶ୍ୱର ପ୍ରମୁଖ ବୈଜ୍ଞାନିକ ଡ଼ଃ ଆର. କେ. ପଣ୍ଡା ପ୍ରକଳ୍ପରେ କିପରି ଜଳପରିଚାଳନା, ଜଳ ସଂରକ୍ଷଣ, ଭୂତଳ ଜଳର ପୁନଃ ସଞ୍ଚାର ଇତ୍ୟାଦି ଦିଗରେ ବୈଷୟିକ ଜ୍ଞାନ କୌଶଳ ଜରିଆରେ ଏକ ଆଦର୍ଶ ସୃଷ୍ଟି କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରିଥିଲେ ଓ ଏହାର ସଫଳ ରୂପାୟନ ପାଇଁ ପ୍ରଚେଷ୍ଟା କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ I ପ୍ରଗତି କୋରାପୁଟ ଓ ICAR – ଭାରତୀୟ ଜଳ ପରିଚାଳନା କେନ୍ଦ୍ର, ଭୁବନେଶ୍ୱର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି I କର୍ମଶାଳାକୁ ପ୍ରଗତିର ସମ୍ପାଦକ ଶ୍ରୀ ପ୍ରଭାକର ଅଧିକାରୀ ପରିଚାଳନା କରିବା ସହ ପ୍ରକଳ୍ପର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l
କର୍ମଶାଳାରେ ତୁଷବା ପଞ୍ଚାୟତର 5 ଟି ପ୍ରକଳ୍ପ ଗ୍ରାମଗୁଡ଼ିକରୁ 50 ଜଣ ଚାଷୀ ଓ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ I