ମାଥିଲି ଲ୍ୟାମ୍ପସରେ ତଦନ୍ତ ସମୟରେ ଏମଡିଙ୍କ ଉଗ୍ରରୂପ : ସାମ୍ବାଦିକ ଓ ପରିଚାଳନା ସଦସ୍ୟଙ୍କୁ ଅଭଦ୍ର ଭାଷା ସହ ଧମକ

youtube

ମାଥିଲି/ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ବହୁଚର୍ଚ୍ଚିତ ଲ୍ୟାମ୍ପସ (LAMPS) କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଅଧିକାରୀ ପହଞ୍ଚିଥିବା ବେଳେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଉଗ୍ର ରୂପ ଧାରଣ କରିଥିଲେ। ସେ ପରିଚାଳନା କମିଟି ସଦସ୍ୟଙ୍କୁ ମାଡ଼ ମାରିବା ସହ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ମାଥିଲି ଲ୍ୟାମ୍ପସ ଏମ୍‌ଡିଙ୍କ ବିରୋଧରେ ଆସିଥିବା ଏକାଧିକ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଡିଆରସିଏସ (DRCS) କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଲ୍ୟାମ୍ପସ କାର୍ଯ୍ୟାଳୟରେ ପହଞ୍ଚି ନଥିପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଲ୍ୟାମ୍ପସର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରୁଥିଲେ।

ତେବେ ତଦନ୍ତ ଚାଲିଥିବା ବେଳେ ହଠାତ୍ ଏମ୍‌ଡି ଉତକ୍ଷିପ୍ତ ହୋଇ ସଭାପତିଙ୍କ କାର୍ଯ୍ୟାଳୟ ମଧ୍ୟରେ ବସିଥିବା ପରିଚାଳନା ସଦସ୍ୟ ଓ ସଦସ୍ୟାମାନଙ୍କୁ ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏମ୍‌ଡି ସଦସ୍ୟମାନଙ୍କୁ ଗୋଇଠା ମାରିବା ସହ “ଚୁତିଆ, ଇଡିଏଟ୍” ଭଳି ଅଶ୍ଳୀଳ ଶବ୍ଦ ବ୍ୟବହାର କରି ଗାଳିଗୁଲଜ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ସେମାନେ ଏମ୍‌ଡିଙ୍କୁ ଅଟକାଇବାରେ ଅସମର୍ଥ ହୋଇ ନିରୁପାୟ ଭାବେ ଛିଡ଼ା ହୋଇଥିଲେ।

ଏହି ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଏମ୍‌ଡି ଛାଡ଼ି ନଥିଲେ। ସେ ସାମ୍ବାଦିକମାନଙ୍କୁ ନାଲିଆଖି ଦେଖାଇ ଧମକ ଦେଇ କହିଥିଲେ ଯେ, “ଯଦି ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହୁଏ, ତେବେ ତୁମମାନଙ୍କ ମଧ୍ୟରୁ କେହି ବଞ୍ଚିବ ନାହିଁ। ମୋର ହାତ ବହୁତ ଲମ୍ବା।” ସରକାରୀ କାର୍ଯ୍ୟାଳୟ ଭିତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ହତ୍ୟା ଧମକ ଦିଆଯିବା ଘଟଣା ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଏମ୍‌ଡିଙ୍କ ଏଭଳି ଉଶୃଙ୍ଖଳ ଆଚରଣକୁ ସ୍ଥାନୀୟ ଲୋକେ ଓ ପରିଚାଳନା କମିଟି ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇ ଆଇନକୁ ହାତକୁ ନେବା ଏବଂ ତଦନ୍ତରେ ବାଧା ସୃଷ୍ଟି କରିବା ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.