
ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ
ନୂଆଦିଲ୍ଲୀ : ପ୍ରତିଦିନ ଖବର କାଗଜ ଓ ପ୍ରତିଦିନ ଟିଭିର ସୁଧୀର କୁମାର ପଣ୍ଡା ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ (ଭାରତୀୟ ପ୍ରେସ୍ ପରିଷଦ) ସଦସ୍ଯ ମନୋନୀତ ହୋଇଛନ୍ତି | ଭାରତର ରାଜପତ୍ର (ଦି ଗେଜେଟ୍ ଅଫ୍ ଇଣ୍ଡିଆ)ରେ ପ୍ରକାଶିତ ଅଧିସୂଚନା ଅନୁଯାୟୀ, ଭାରତୀୟ ପ୍ରେସ୍ ପରିଷଦକୁ ମନୋନୀତ ହୋଇଥିବା ବ୍ଯକ୍ତି ତିନି ବର୍ଷ ଏହାର ସଦସ୍ଯ ରହିପାରିବେ | ଶିକ୍ଷା ଓ ବିଜ୍ଞାନ, ସହିତ୍ଯ, ସଂସ୍କୃତି, ସମ୍ବାଦପତ୍ର ସହ ଜଡ଼ିତ ବ୍ଯକ୍ତି ଭାରତୀୟ ପ୍ରେସ୍ ପରିଷଦ ସଦସ୍ଯ ଭାବେ ମନୋନୀତ ହୋଇଥାନ୍ତି |
ମନୋନୀତ ସଦସ୍ଯଙ୍କ ମଧ୍ୟରେ ରହିଛନ୍ତି ସୁଧୀର କୁମାର ପଣ୍ଡା (ପ୍ରତିଦିନ, ଭୁବନେଶ୍ୱର, ଓଡ଼ିଶା), ଏମ୍ ଭି ଶ୍ରେୟାଂଶ କୁମାର (ମାତୃଭୂମି, କୋଝିକୋଡ଼, କେରଳ), ଗୁରିନ୍ଦର ସିଂହ (ଇଣ୍ଡିଆନ ଅବ୍ଜର୍ଭର, ନୂଆଦିଲ୍ଲୀ), ଅରୁଣ କୁମାର ତ୍ରିପାଠୀ (ଜନ ଏକ୍ସପ୍ରେସ, ଲକ୍ଷ୍ନେ, ଉତ୍ତର ପ୍ରଦେଶ), ଆରତୀ ତ୍ରିପାଠୀ (ଜୟ ପ୍ରଦେଶ, ଲକ୍ଷ୍ନେ, ଉତ୍ତର ପ୍ରଦେଶ), ବ୍ରଜ ମୋହନ ଶର୍ମା (ଗୁଲାବୀ ହଲଚଲ, ଜୟପୁର) | ତିନି ଜଣ ସାଂସଦ ସମ୍ବିତ ପାତ୍ର (ଓଡ଼ିଶା), କାଳୀ ଚରଣ ମୁଣ୍ଡା (ଝାରଖଣ୍ଡ) ଏବଂ ନରେଶ ଗଣପତ ମହସ୍କେ (ମହାରାଷ୍ଟ୍ର) ମଧ୍ୟ ଏହାର ସଦସ୍ଯ ହୋଇଛନ୍ତି |
ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ଭାରତର ଏକ ବୈଧାନିକ ସଂସ୍ଥା | ୧୯୬୬ରେ ପ୍ରେସ୍ କାଉନ୍ସିଲ ଆକ୍ଟ ୧୯୬୫ ଅନୁଯାୟୀ ଏହା ଗଠିତ ହୋଇଥିଲା | ଗଣମାଧ୍ୟମ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ପ୍ରଥମ ସଂସ୍ଥାଗୁଡ଼ିକ ମଧ୍ୟରେ ଏହା ଅନ୍ଯତମ | ୧୯୭୯ରେ ଏହାର ପୁନଃପ୍ରତିଷ୍ଠା ହୋଇଥିଲା ପ୍ରେସ୍ କାଉନ୍ସିଲ ଆକ୍ଟ ୧୯୭୮ ଅନୁଯାୟୀ | ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ଚେୟାରମ୍ଯାନ ରହିଥାନ୍ତି | ବର୍ତ୍ତମାନ ଏହାର ଚେୟାରମ୍ଯାନ ରହିଛନ୍ତି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରସାଦ ଦେଶାଇ | ଗଣମାଧ୍ୟମର ପ୍ରତିନିଧି ଭାବେ ପୂର୍ବଭାରତରୁ ସୁଧୀର କୁମାର ପଣ୍ଡା ଏକମାତ୍ର ସଦସ୍ଯ ହୋଇଥିବାରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ ସଂଘ, ସାମାଜିକ ସଙ୍ଗଠନ, ରାଜନୈତିକ ବ୍ଯକ୍ତି, ଆଇନଜୀବୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି | ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି |