ରାଜଧାନୀରେ ଡକାୟତି ଯୋଜନା ପଣ୍ଡ: ଚନ୍ଦ୍ରଶେଖରପୁର ପୋଲିସ ହାତରେ ୪ ଦୁର୍ବୃତ୍ତ ଗିରଫ, ୨ ଫେରାର

youtube


ଭୁବନେଶ୍ୱର:
 କମିଶନରେଟ୍ ପୋଲିସ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପଟିଆ ବରାଦେଇ ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ଉ କରି ଏକ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି।

ସୂଚନା ଅନୁଯାୟୀ, ଗତ ୦୩.୧୨.୨୦୨୫ ତାରିଖ ବିଳମ୍ବିତ ରାତିରେ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ଟିମ୍ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୩:୩୦ ସମୟରେ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ପଟିଆ ବରାଦେଇ ମନ୍ଦିର ନିକଟସ୍ଥ ଏକ ଖୋଲା ପଡିଆରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ସହ ଏକତ୍ରିତ ହୋଇ ପଥଚାରୀଙ୍କୁ ଲୁଟ୍ କରିବାକୁ ଷଡଯନ୍ତ୍ର କରୁଛନ୍ତି।

ଖବର ପାଇବା ମାତ୍ରେ ତୁରନ୍ତ ପୋଲିସ ଟିମ୍ ଭୋର୍ ୩:୫୫ରେ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ସେଠାରେ ୬ ଜଣ ବ୍ୟକ୍ତି ମଦ୍ୟପାନ କରିବା ସହ ଡକାୟତିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ପୋଲିସକୁ ଦେଖି ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ କୌଶଳକ୍ରମେ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ମାରଣାସ୍ତ୍ର ଏବଂ ଲଙ୍କା ଗୁଣ୍ଡ ଜବତ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗ୍ ପଟିଆ ଷ୍ଟେସନ୍ ରୋଡ୍ ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବାକୁ ଲକ୍ଷ୍ୟ ରଖିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସାଗର ବିଷୋଇ ନାମକ ଜଣେ ଅପରାଧୀଙ୍କ ନାମରେ ପୂର୍ବରୁ ଇନ୍ଫୋସିଟି ଥାନାରେ ମାମଲା ରହିଛି। ଏମାନେ ଦୀର୍ଘ ଦିନ ଧରି ମାରଣାସ୍ତ୍ର ଧରି ବୁଲିବା ସହ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଥିଲେ।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଆଇନଗତ ପ୍ରକ୍ରିୟା ଶେଷ ପରେ ଆଜି ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ଶେଖ ଜାଇଦୁଲ ଏବଂ ଶେଖ ତୌଫିକଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.