ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଖଣ୍ଡଗିରି ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

youtube

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଘରେ ପଶି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାକେଶ ପରିଡା।

ଘଟଣାରୁ ପ୍ରକାଶ ଯେ, ଆଜି (୦୪.୧୨.୨୦୨୫) ଅପରାହ୍ନ ପ୍ରାୟ ୨.୩୦ ମିନିଟ୍ ସମୟରେ ଜାଗମରା ତଳ ସାହିର ବାସିନ୍ଦା ଆଲ୍ଲାଉଦ୍ଦିନ ଖାନ (୨୨) ନିଜ ଘରେ ଥିଲେ। ଏହି ସମୟରେ ଅଭିଯୁକ୍ତ ରାକେଶ ପରିଡା ସେଠାରେ ପହଞ୍ଚି କବାଟ ବାଡ଼େଇଥିଲେ। ଆଲ୍ଲାଉଦ୍ଦିନ କବାଟ ଖୋଲିବା ମାତ୍ରେ କିଛି ବୁଝିବା ଆଗରୁ ରାକେଶ ହଠାତ୍ ଏକ ପ୍ଲାଷ୍ଟିକ୍ ପାଇପ୍ ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆଲ୍ଲାଉଦ୍ଦିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଏହା ପରେ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଆହତ ଆଲ୍ଲାଉଦ୍ଦିନଙ୍କ ଲିଖିତ ଅଭିଯୋଗ କ୍ରମେ ଖଣ୍ଡଗିରି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଜାଗମରା ତଳ ସାହିରେ ଚଢ଼ଉ କରି ଅଭିଯୁକ୍ତ ରାକେଶ ପରିଡାଙ୍କୁ କାବୁ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଆକ୍ରମଣରେ ବ୍ୟବହୃତ ହୋଇଥିବା ପ୍ଲାଷ୍ଟିକ୍ ପାଇପକୁ ମଧ୍ୟ ପୋଲିସ ଜବତ କରିଛି।

ପ୍ରାଥମିକ ପ୍ରମାଣ ଏବଂ ଅପରାଧର ଗୁରୁତ୍ୱକୁ ଭିତ୍ତି କରି ପୋଲିସ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଖଣ୍ଡଗିରି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.