ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ମିଥ୍ୟା ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ: ସାଇବର୍ କ୍ରାଇମ୍ ସେଲ୍‌ରେ ଏଫ୍‌ଆଇଆର୍

add-all

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି।

ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଏକ ମିଥ୍ୟା ଦାବି କରାଯାଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ଜାଲିଆତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପରେ ବିଭାଗ ପକ୍ଷରୁ ଏନେଇ ସାଇବର୍ କ୍ରାଇମ୍ ସେଲ୍‌ରେ ଏଫ୍‌ଆଇଆର୍ ମାମଲା ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପଠାଯାଇଛି। ଜାଲିଆତି ପତ୍ରର ସୃଷ୍ଟିକର୍ତ୍ତା, ଉତ୍ସ ଓ ପ୍ରଚାରକ ମାନଙ୍କ ଠିକଣା ଚିହ୍ନଟ କରି ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି। ସମସ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କୁ ଏହି ପତ୍ରକୁ ଗୁରୁତ୍ୱ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜନସାଧାରଣଙ୍କୁ ସତର୍କ ରହିବା ସହ ଏହି ଜାଲିଆତି ପତ୍ରର ବିଷୟବସ୍ତୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଆଧିକାରିକ ଭାବେ କେବଳ ସରକାରୀ ମାଧ୍ୟମରେ ଜାରି ହୋଇଥିବା ସୂଚନାକୁ ବିଶ୍ଵାସ କରିବାକୁ ଏବଂ ସନ୍ଦେହଜନକ ପତ୍ର ବା ଦଲିଲକୁ ସଙ୍ଗେ ସଙ୍ଗେ ଅଧିକାରୀଙ୍କ ନଜରକୁ ଆଣିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.