ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, ଗାଁରୁ ଗ୍ଲୋବାଲ୍ ଚିନ୍ତାଧାରା : ସେବକ ରଙ୍ଗିଆମୁଣ୍ଡାରେ ଆରମ୍ଭ ହେଲା ମିଲେଟ୍ସ ବେକେରୀ ୟୁନିଟ

ସୁନ୍ଦରଗଡ଼ : ସ୍ଥାନୀୟ ଅଞ୍ଚଳରେ ତାଜା, ସ୍ୱଚ୍ଛ ଓ ଗୁଣାତ୍ମକ ବେକେରୀ ଉତ୍ପାଦକୁ ଲୋକଙ୍କ ନିକଟକୁ ଆଣିବା, ସ୍ଥାନୀୟ କୃଷକଙ୍କ ଆୟ ବୃଦ୍ଧି, ପୁଷ୍ଟିଶସ୍ୟ ପ୍ରସ୍ତୁତି ଖାଦ୍ୟ ପ୍ରଚାର ଓ ମିଲେଟ୍ସ ଆଧାରିତ ଉଦ୍ୟମକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆଜି ବସୁଧା କୃଷି ଉତ୍ପାଦକ ସଂସ୍ଥା ଦ୍ୱାରା ପରିଚାଳିତ ଏକ ନୂତନ ମିଲେଟ୍ସ ବେକେରୀ ୟୁନିଟର ଶୁଭାରମ୍ଭ ସେବକ ରଙ୍ଗିଆମୁଣ୍ଡା ଠାରେ କରାଯାଇଛି। ଏହି ୟୁନିଟ ଆଧୁନିକ ପ୍ରଯୁକ୍ତି ଓ ସ୍ୱଚ୍ଛତା ମାନଦଣ୍ଡ ଅନୁସରଣ କରି ବ୍ରେଡ୍, କେକ୍, ବିସ୍କୁଟ୍, ପେଷ୍ଟ୍ରି ଭଳି ବିଭିନ୍ନ ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତ କରିବ। ଏହା ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସହିତ ଅଞ୍ଚଳର ଆର୍ଥିକ ଉନ୍ନତିରେ ଏକ ନୂତନ ଅଧ୍ୟାୟ ଯୋଗ କରିବ ବୋଲି ଆଶା କରାଯାଉଛି। ଆଜି ଏହି ପୁଷ୍ଟିଶସ୍ୟ ବେକେରୀ ୟୁନିଟକୁ ଟାଙ୍ଗରପାଲି ବିଡିଓ ବୀରସେନ ବେହେରା ଫିତା କାଟି ଉଦଘାଟନ କରି କହିଥିଲେ ଯେ ମିଲେଟ୍ସ ଆଧାରିତ ଉତ୍ପାଦ ନ କେବଳ ସ୍ୱାସ୍ଥ୍ୟକର, ବରଂ ଏହା କୃଷକଙ୍କ ପାଇଁ ଏକ ସ୍ଥାୟୀ ଆୟର ଉତ୍ସ ମଧ୍ୟ ଅଟେ । ଏହି ବେକେରୀ ୟୁନିଟରେ କିପରି ବିଭିନ୍ନ ପୁଷ୍ଟିଶସ୍ୟର ବହୁଳ ବ୍ୟବହାର କରି ଗୁଣାତ୍ମକ ମାନର ଉତ୍ପାଦ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ବେକେରୀ ୟୁନିଟରେ ରାଗି, ମାଣ୍ଡିଆ, ସୁଆଁ, କଙ୍ଗୁ ଭଳି ପୌଷ୍ଟିକ ମିଲେଟ୍ସ ବ୍ୟବହାର କରି ବ୍ରେଡ୍, କେକ୍, ବିସ୍କୁଟ୍, କୁକିଜ୍ ଓ ଅନ୍ୟାନ୍ୟ ଉତ୍ପାଦ ପ୍ରସ୍ତୁତ କରାଯିବ। ଏହା ମାଧ୍ୟମରେ ସ୍ଥାନୀୟ ବଜାରକୁ ସ୍ୱଚ୍ଛ, ତାଜା ଓ ପୋଷ୍ଟିକ ଖାଦ୍ୟ ଯୋଗାଇବା ସହିତ ସ୍ଥାନୀୟ ମହିଳା ଓ ଯୁବକ-ଯୁବତୀଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ମତ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକ, ବିତ୍ତ ପରିଚାଳକ ନୀଲାମ୍ବର ଉପାଧ୍ୟାୟ ଉପସ୍ଥିତ ରହି ଏହି ଉତ୍ପାଦଗୁଡ଼ିକ ସମ୍ପୂର୍ଣ୍ଣ ମଇଦାମୁକ୍ତ ତଥା ଗୁଡ଼ ଓ ଚିନି ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ସହିତ ମଧୁମେହ ରୋଗୀମାନଙ୍କ ପାଇଁ ଚିନିମୁକ୍ତ (ସୁଗାର ଫ୍ରି) କିଛି ବିଶେଷ ପ୍ରକାର ମଧ୍ୟ ଉପଲବ୍ଧ ରହିଛି ବୋଲି ସୂଚନା ଦେଇଥିଲେ । ଏହି ୟୁନିଟଟି ବସୁଧା କୃଷି ଉତ୍ପାଦକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ବେଳେ ସମସ୍ତ ଉତ୍ପାଦର ବଜାରୀକରଣ ଛେଦଲଗନ୍ କୃଷି ଉତ୍ପାଦକ ସଂସ୍ଥା ଦ୍ୱାରା “ଆଦିଧାରା” ବ୍ରାଣ୍ଡ୍ ନାମରେ କରାଯାଉଛି । ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ଶ୍ରୀ ଅନ୍ନ ବା ପୁଷ୍ଟିଶସ୍ୟର ଉତ୍ପାଦନ ସଙ୍ଗେ ସଙ୍ଗେ ତାହାର ମୂଲ୍ୟବୃଦ୍ଧି ଦ୍ଵାରା ଚାଷୀ କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ଦିଗରେ ରୋଡ ମ୍ୟାପ ପ୍ରସ୍ତୁତି କରାଯାଉଛି ବୋଲି ମତ ପ୍ରଦାନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସେବକ ଓ ବସୁଧା ତଥା ଛେଦଲଗନ କୃଷି ଉତ୍ପାଦକ ସଂସ୍ଥାର କର୍ମକର୍ତ୍ତା ମାନେ ଆୟୋଜନ କରିଥିଲେ।