କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

youtube

• ୮୨,୦୦୦ରୁ ଉର୍ଦ୍ଧ୍ୱ ଉପଭୋକ୍ତା ଉପକୃତ
• ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ସହ କ୍ଷୁଦ୍ର ବ୍ୟବସାୟକୁ ବଳ ଯୋଗାଇବ ଏହି ଉନ୍ନତୀକରଣ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ କନ୍ଧମାଳ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିଆଯାଇଛି ଏକ ଅଭିନବ ପଦକ୍ଷେପ । କମ୍ପାନୀ ତରଫରୁ ଜି. ଉଦୟଗିରିରୁ କେ. ନୁଆଗାଁ ପର୍ଯ୍ୟନ୍ତ ୩୩ କେଭି ଫିଡର୍ ଲାଇନର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହାଦ୍ୱାରା କନ୍ଧମାଳ ଜିଲ୍ଲାର ପ୍ରାୟ ୮୨,୦୦୦ ଉପଭୋକ୍ତାଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିଛି । ଏହି ଉନ୍ନତୀକରଣ ଫଳରେ ବିଶେଷ କରି ବାଲିଗୁଡା, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ, ରାଇକିଆ ଏବଂ ଆଖପାଖ ଅଞ୍ଚଳର ଅଧିବାସୀ ଉପକୃତ ହୋଇଛନ୍ତି । ପାହାଡ଼ିଆ ଅଞ୍ଚଳ, ଘଞ୍ଚ ଜଙ୍ଗଲ ଏବଂ ପାଣିପାଗରେ ପରିବର୍ତ୍ତନ ଏହି ଅଞ୍ଚଳ ପାଇଁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ବହୁ ଆହ୍ୱାନ ସୃଷ୍ଟି କରିଥାଏ ।

ଏହି ଉନ୍ନତୀକରଣରେ ମୋଟ ୫୧ କିଲୋମିଟର ଫିଡର ଲାଇନ ସାମିଲ ହୋଇଛି । ଯାହା କି ବହୁ ବର୍ଷର ଏବଂ ପୁରୁଣା କଣ୍ଡକ୍ଟର ଲାଇନ ତାରକୁ ବଦଳାଇବାର ଏକ ପ୍ରମୁଖ କାର୍ଯ୍ୟ ଅଟେ । ଜି. ଉଦୟଗିରିରୁ ରାଇକିଆ ପର୍ଯ୍ୟନ୍ତ ୨୨ କିମି ଫିଡର ଲାଇନର ଉନ୍ନତୀକରଣ ସହିତ ରାଇକିଆରୁ କେ. ନୂଆଗାଁ ପର୍ଯ୍ୟନ୍ତ ଆଉ ୨୯ କିମି ଫିଡର ଲାଇନର ଉନ୍ନତୀକରଣ କରାଯାଇଛି । ପୂର୍ବରୁ ଥିବା ୩୫ ବର୍ଗ ମିମି କଣ୍ଡକ୍ଟର, ଯାହାର ସୀମିତ କ୍ଷମତା ଥିଲା ଏବଂ ଭାରୀ ଲୋଡ୍ ଯୋଗୁଁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଥିଲା ଏବେ ସେଥିରେ ସୁଧାର ଆସିଛି । କମ୍ପାନୀ ତରଫରୁ ଏବେ ଉଚ୍ଚ କ୍ଷମତା ସମ୍ପନ୍ନ ୧୪୮ ବର୍ଗ ମିମି ଅଲ୍-ଆଲୁମିନିୟମ୍ ଆଲୟ କଣ୍ଡକ୍ଟର୍ (ଏଏଏଏସି) ଏବେ ୩୫ ବର୍ଗ ମିମି କଣ୍ଡକ୍ଟର ବଦଳରେ ଲଗାଯାଇଛି । ନୂଆ କଣ୍ଡକ୍ଟର୍ ଦ୍ୱାରା ବିଦ୍ୟୁତ ଯୋଗାଣ ଆହୁରି ସହଜ ଏବଂ ସ୍ୱାଭାବିକ ହୋଇପାରିଛି । ଯାହା ଭୋଲ୍ଟେଜରେ ସ୍ଥିରତା ଆଣିବା ସହିତ କନ୍ଧମାଳ ଜିଲ୍ଲାର ଜଳବାୟୁ ପାଇଁ ଅଧିକ ଉପଯୁକ୍ତ ହେବ, ଯେଉଁଠାରେ ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ଗଛ ଡାଳ ପଡ଼ିବା ଭଳି ଘଟଣା ସାମନାକୁ ଆସିଥାଏ । ଏହି ଉନ୍ନତୀକରଣ ଫଳରେ ଘରୋଇ ଉପଭୋକ୍ତାଙ୍କ ସମେତ, କ୍ଷୁଦ୍ର ବ୍ୟବସାୟ ଏବଂ ଅତ୍ୟାବଶ୍ୟକ ସେବାଗୁଡ଼ିକ ନିରବଚ୍ଛିନ୍ନ ଭାବେ ସଭିଙ୍କୁ ମିଳି ପାରିବ ।

ଟିପିଏସ୍ଓଡିଏଲ୍ ତରଫରୁ କନ୍ଧମାଳ ଜିଲ୍ଲାରେ ହୋଇଥିବା ଏହି ଉନ୍ନତୀକରଣ ଫଳରେ ବର୍ତ୍ତମାନ ଜି.ଉଦୟଗିରି-ରାଇକିଆ-କେ.ନୂଆଗାଁ ଫିଡରକୁ ସିଧାସଳଖ ଜି.ଉଦୟଗିରି ଗ୍ରୀଡ ସବଷ୍ଟେସନରୁ ପ୍ରାଥମିକ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରିବ । ସେହିପରି ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ନ ହେବା ପାଇଁ ବର୍ତ୍ତମାନ ଥିବା ଫୁଲବାଣୀ-ବାଲିଗୁଡ଼ା ୩୩ କେଭି ଲାଇନ୍ ବ୍ୟାକଅପ୍ ଭାବେ କାର୍ଯ୍ୟ କରିବ । ଯାହାଦ୍ୱାରା ଅଞ୍ଚଳରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରିବ । ଦୁଇଟି ଲାଇନ୍ କାର୍ଯ୍ୟକ୍ଷମ ହେବା ଫଳରେ ବିଦ୍ୟୁତ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ । ଯଦି ଗୋଟିଏ ଲାଇନ୍ ଝଡ଼, ଯାନ୍ତ୍ରିକ ତୃଟି କିମ୍ବା କୌଣସି ପ୍ରାକୃତିକ ବାଧା ଯୋଗୁଁ ପ୍ରଭାବିତ ହୁଏ ତେବେ ଅନ୍ୟଟି ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାରେ ସହାୟକ ହେବ । ଏହା ଫଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ଅବଧି ହ୍ରାସ ହେବା ସହିତ ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟୁତ ସେବା ପୁନଃସ୍ଥାପନ କରିବା ଆହୁରି ସହଜ ହୋଇପାରିବ ।

ଭୌଗୋଳିକ ଅବସ୍ଥିତି ଅନୁସାରେ କନ୍ଧମାଳ ଜିଲ୍ଲାରେ ବିଜୁଳି ସେବା ଯୋଗାଇବା ସର୍ବଦା ଏକ ଆହ୍ୱାନମୂଳକ କାର୍ଯ୍ୟ । ଟିପିଏସ୍ଓଡିଏଲ୍ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଦୂର ଅଞ୍ଚଳ ତଥା ରିମୋଟ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ବିଶେଷ ଭାବରେ ସହାୟକ ହେବ । ଏଥିସହିତ ବିଦ୍ୟାଳୟ, ସ୍ୱାସ୍ଥ୍ୟ ଅନୁଷ୍ଠାନ, କ୍ଷୁଦ୍ର ଶିଳ୍ପ ସମେତ ସ୍ଥାନୀୟ ବ୍ୟବସାୟ ଓ ସମୁଦାୟର ବହୁ ଉନ୍ନତି ହେବ । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏକ ପର୍ଯ୍ୟଟନସ୍ଥଳୀ ଅଟେ । ଯେଉଁଠାକୁ ବର୍ଷ ତମାମ ପର୍ଯ୍ୟଟକମାନେ ବୁଲି ଆସି ଥାଆନ୍ତି । ଏବେ ଏହି ଉନ୍ନତୀକରଣ ଫଳରେ ଭୋଲ୍ଟେଜରେ ସ୍ଥିରତା ଆସିବା ସାଙ୍ଗକୁ ବାଧାପ୍ରାପ୍ତ ବିଦ୍ୟୁତ ସେବାର ପୁନଃସ୍ଥାପନ ଅବଧି ହ୍ରାସ ପାଇବା ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ଭାବରେ ଉପକାର କରିବ । ସେହିଭଳି ସ୍ଥିର ଭୋଲ୍ଟେଜ ଯୋଗୁଁ ଘରୋଇ ଉପଭୋକ୍ତା ବ୍ୟବହାର କରୁଥିବା ଘରୋଇ ବିଦ୍ୟୁତ ଚାଳିତ ଉପକରଣ ଏବଂ ସମସ୍ତ ମେସିନ୍ ଆଦି ଭଲ ଭାବରେ ପରିଚାଳିତ ହୋଇପାରିବ ।

କମ୍ପାନୀ ତରଫରୁ ହୋଇଥିବା ଏହି ଉନ୍ନତୀକରଣ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପ୍ରକଳ୍ପ କମ୍ପାନୀର ସମଗ୍ର ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି । ଜି.ଉଦୟଗିରି-ରାଇକିଆ ଫିଡରର ସୁଦୃଢ଼ୀକରଣ କେବଳ ଦୈନନ୍ଦିନ ଜୀବନର ବିଦ୍ୟୁତ ଆବଶ୍ୟକତାକୁ ପୂରା କରିବ ତାହା ନୁହେଁ ବରଂ ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ କନ୍ଧମାଳ ଜିଲ୍ଲାର ଏକ ଦୀର୍ଘକାଳୀନ ବିକାଶକୁ ସମର୍ଥନ କରିବ ।

ଟିପିଏସ୍ଓଡିଏଲ୍ ତରଫରୁ କନ୍ଧମାଳ ଜିଲ୍ଲାର ଉନ୍ନତୀକରଣ ଏହାର ବିଦ୍ୟୁତ ଭିତ୍ତିଭୂମିକୁ ଆଧୁନିକୀକରଣ କରିବାର ଏକ ଅଂଶ ଅଟେ । ଗତ ବର୍ଷମାନଙ୍କରେ କମ୍ପାନୀ ତରଫରୁ ଫିଡରର ସୁଦୃଢ଼ୀକରଣ, ସବଷ୍ଟେସନର ଉନ୍ନତୀକରଣ, ପୁରୁଣା ଉପକରଣ ବଦଳାଇବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ କରାଯାଉଛି । ଯାହାଦ୍ୱାରା ଟେକ୍ନିକାଲ କ୍ଷତି ହ୍ରାସ କରିବାରେ ଏବଂ ଗୁଣାତ୍ମକ ସେବା ଯୋଗାଇବା ଦିଗରେ ଏହା ବିଶେଷ ଭାବରେ ସହାୟକ ହୋଇପାରିଛି । ସ୍ଥିର ବିଦ୍ୟୁତ ନେଟୱର୍କ ସ୍ଥାପନ କରିବା ସହିତ ଭବିଷ୍ୟତର ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ବହୁ ପଦକ୍ଷେପ ନିଆଯାଉଛି । ଭରସାଯୋଗ୍ୟ ବିଦ୍ୟୁତ ସେବା, ଦକ୍ଷ ଏବଂ ଗ୍ରାହକ ଅନୁକୂଳ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ କମ୍ପାନୀ ତରଫରୁ ଏହି ଉନ୍ନତୀକରଣ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.