ଦିନ ଦି ପହରରେ ପୋଲିସକୁ ଦୁର୍ବୁତ୍ତଙ୍କ ଖୋଲା ଚାଲେଞ୍ଜ : ରାଜ ପରିବାରର ଘରମାଲିକଙ୍କୁ ହ୍ୟାଣ୍ଡ୍କ୍ୟାପ୍ ପକାଇ ନଗଦ ଟଙ୍କା ଓ ସୁନା ଲୁଟିନେଲେ

ବାଲିଗୁଡା : ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ। ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ ହ୍ୟାଣ୍ଡ୍କ୍ୟାପ୍ ପକାଇ ଓ ଅନ୍ୟ ସଦସ୍ୟଙ୍କୁ କଡା ନଜରବନ୍ଦୀରେ ରଖି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୁତ୍ତମାନେ କାଳେ ଧରାପଡ଼ିଯିବା ଭୟରେ ଘରେ ଲାଗିଥିବା ସିସି କ୍ୟାମେରାର ଡିଜିଟାଲ ଭିଡିଓ ରେକର୍ଡର (ଡିଭିଆର) ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତ୍ତ ମାନେ ସାଥିରେ ନେଇ ଯାଇଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଭୟର ବାତାବରଣ ଦେଖାଯାଇଛି। ଏଭଳି ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ବଜାରରେ ରହୁଥିବା ରାଜ ପରିବାରରେ ଘଟିଛି। ରାଜ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବିଷୟ ରାଜ ପରିବାରର ସଞ୍ଜୀବ କୁମାର ଦେଓ କହିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗଦାପୁର ର ରାଜପରିବାରର ମୁଖ୍ୟ ସୀମାଦ୍ରୀ ଦେଓ ଓ ତାଙ୍କ ପୁଅ ସଞ୍ଜୀବ, ବୋହୂ ମମତା ଓ ତାଙ୍କ ପୁଅଙ୍କ ୨ ସନ୍ତାନ ରହୁଛନ୍ତି। ମଧ୍ୟାହ୍ନରେ ସଞ୍ଜୀବ କୌଣସି କାର୍ଯ୍ୟରେ ବାହାରକୁ ଯିବା ପରେ ୩ଟି ବାଇକରେ ୫ ଜଣ ବ୍ୟକ୍ତି ସଞ୍ଜୀବଙ୍କ ଘରେ ପହଞ୍ଚିଥିଲେ ଓ ନିଜକୁ ଦୁର୍ନୀତି ନିବାରଣ ଅଧିକାରୀ କହିଥିଲେ। ସଞ୍ଜୀବଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ସଞ୍ଜୀବଙ୍କ ବୃଦ୍ଧ ବାପା ସୀମାଦ୍ରୀ ଓ ସ୍ତ୍ରୀ ମମତା ରହିଥିଲେ।
ଏହି ସମୟରେ ସୀମାଦ୍ରୀ କହିଲେ, ଆମେ କଣ ଦୁର୍ନୀତି କରିଛୁ ଯେ ଆପଣମାନେ ଆସିଛନ୍ତି କହିବାରୁ ଦୁର୍ବୃତ୍ତମାନେ ସୀମାଦ୍ରୀଙ୍କୁ ଠେଲି ଠେଲି ତାଙ୍କ ଘର ଭିତରକୁ ନେଇଥିଲେ ଓ ଘର ଭିତରେ ତାଙ୍କ ହାତକୁ ପଛକୁ କରି ହାତକଡ଼ି ପକାଇଦେଇଥିଲେ। ବୋହୂଙ୍କୁ ଏବଂ ତାଙ୍କ ବାଡ଼ିପଟେ ରହୁଥିବା ଅନ୍ୟ ସମ୍ପର୍କୀୟଙ୍କୁ ନଜରବନ୍ଦୀରେ ରଖି ଅନ୍ୟ ଦୁର୍ବୁତ୍ତ ଜଗିରହିଥିବା ବେଳେ ସୀମାଦ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ସୁନା ଅଳଙ୍କାର ସହ ନଗଦ ଯାହା ଅଛି ଦେବାକୁ କହିଥିଲେ। ଘରେ ଥିବା ନଗଦ ୩ ଲକ୍ଷ ସହ ସୁନା ଅଳଙ୍କାର ପ୍ରାୟ ୨୦ ଲକ୍ଷ ଟଙ୍କାର ନେଇ ଦୁର୍ବୁତ୍ତମାନେ ସେଠାରୁ ପଳାଇଯାଇଥିଲେ। ଦିବାଲୋକରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ବଜାର ଚଳପ୍ରଚଳ ରହିଥିଲେ ସୁଦ୍ଧା କେହି ଟିକିଏ ମଧ୍ୟ ଜାଣିପାରି ନ ଥିଲେ। ସେପଟେ ପୋଲିସ ପକ୍ଷରୁ ବଡ଼ଦିନ ପାଇଁ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡି ମୋଟର ଯାଞ୍ଚ ପୋଲିସ ଉପସ୍ଥିତି ଜାହିର କରି ଫ୍ଲାଗମାର୍ଚ୍ଚ କରାଯାଉଥିଲେ ମଧ୍ୟ ଅପରାଧୀଙ୍କ ଟିକିଏ ମଧ୍ୟ ପୋଲିସ ପ୍ରତି ଭୟ ନଥିବା ନେଇ ଜୋରଦାର ଆଲୋଚନା ହେଉଛି।