
ଭୁବନେଶ୍ୱର : ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର । ଏହାପୂର୍ବରୁ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର l ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । ରଘୁରାଜପୁର ପଟ୍ଟଚିତ୍ର, ଗୋବର କଣ୍ଢେଇ,ପେପର ମାସ୍କ ଆଦିକୁ ଦେଖିଥିଲେ ସିଇସି ।
ପଟ୍ଟଚିତ୍ରରେ ନିଖୁଣ ଭାବେ ଚିତ୍ରିତ ହୋଇଥିବା ବିଭିନ୍ନ ବିଷୟବସ୍ତୁ, ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା, ରାମାୟଣ, ମହାଭାରତ, କୃଷ୍ଣଲୀଳାକୁ ଦେଖିବା ସହ କାରିଗରଙ୍କୁ ପଚାରି ବୁଝିଥିଲେ । ଗ୍ରାମର କଳା କାରିଗରୀକୁ ଦେଖି ବିମୋହିତ ହୋଇଥିଲେ l ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଆଗରେ ଓଡ଼ିଶାର ପୁରାତନ ଲୋକକଳା ଗୋଟିପୁଅ ନୃତ୍ୟ କୁନିକୁନି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା ।
ଯାହାକୁ ଦେଖି ସେ ଓ ତାଙ୍କ ଧର୍ମପତ୍ନୀ ଅଭିଭୂତ ହୋଇଥିଲେ । ରଘୁରାଜପୁର ପରିଦର୍ଶନ ପରେ ଜିଲ୍ଲା ପ୍ରଶାସନ ତରଫରୁ ଜଗନ୍ନାଥ ମହାପ୍ରଭୁଙ୍କ ପଟ୍ଟଚିତ୍ର ଓ ଗ୍ରାମବାସୀଙ୍କ ତରଫରୁ କିଛି କଳାକୃତି ଉପହାର ଦିଆଯାଇଥିଲା । ଗୋଟିପୁଅ ନୃତ୍ୟକୁ ଦେଖି ସେ ବେଶ ଖୁସି ବ୍ୟକ୍ତ କରିଥିଲେ l