
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ରର ଉଦଘାଟିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଥିଲେ ‘ଶିକ୍ଷା ହେଉଛି ଏକ ସଶକ୍ତ ଓ ସମାବେଶୀ ରାଷ୍ଟ୍ର ଗଠନର ମୂଳ ଆଧାର । ଆଦିବାସୀ ଅଞ୍ଚଳରେ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ସୁବିଧା ପହଞ୍ଚିବା ନିମନ୍ତେ ଇଗ୍ନୋ ପରି ପ୍ରତିଷ୍ଠାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ।
ଏହି ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ମୟୁରଭଞ୍ଜ ଜିଲ୍ଲା ସମେତ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ର ଯୁବକ ଯୁବତୀ, କାର୍ଯ୍ୟରତ ବ୍ୟକ୍ତି, ଗୃହିଣୀ ଓ ଶିକ୍ଷାରୁ ବଞ୍ଚିତ ଲୋକମାନେ ପାଠ ପଢ଼ିପାରିବେ। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭାଷଣରେ କହିଥିଲେ ରାଇରଙ୍ଗପୁରରେ ଇଗ୍ନୋର ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ । ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ ।
ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ । ରାଇରଙ୍ଗପୁର ମୋହତାବ ଭବନରେ ଅନୁଷ୍ଠିତ ଏହି ଭରଚୁଆଲ ଉଦଘାଟନ ଉତ୍ସବରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସାଂସଦ ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।