
ନୟାଗଡ଼, ୨/୧ (ନିସର୍ତ୍ତ) : ଶଶୁର ଘରେ ଜ୍ବାଇଁ ବିପିନ ଭୂୟାଁଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ।ନୟାଗଡ଼ ସଦର ଥାନାରେ ଏତଲା ନ ରଖିବାରୁ ମୃତକଙ୍କ ପରିବାର ଲୋକେ ଦର୍ପନାରାୟଣପୁର ଫାଣ୍ଡି ଆଗରେ ଶବ ରଖି ଧାରଣା ଦେଇ ଥିଲେ । ଅଭିଯୋଗ ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର ଫାଣ୍ଡି ଅଧିନସ୍ଥ ଖତିଆ ତଳସାହିର ରମେଶ ଭୂୟାଁଙ୍କ ପୁଅ ବିପିନ ଭୂୟାଁ ୮ ମାସ ପୂର୍ବେ ନୟାଗଡ଼ ସଦର ଥାନା ବାଲୁଗାଁ ନିକଟ ଜୟମଙ୍ଗଳ ପ୍ରସାଦ (ଆଟିକା ପୋଡ଼ି) ଗାଁର ବର୍ଷାଙ୍କୁ ବିବାହ କରିଥିଲେ । ବର୍ଷା ନିଜକୁ ଗର୍ଭବତୀ କହି ବାପଘରକୁ ପଳାଇଥିଲେ । ସେଠାରେ ସାମାଜିକ ଗଣମାଧ୍ଯମ ଜରିଆରେ ସ୍ବାମୀ ବିପିନଙ୍କୁ ସେ ତାଙ୍କ ବାପା ଓ ଧରମ ବାପା ମିଶି ଆର୍ଥିକ ଶୋଷଣ କରୁଥିଲେ ବୋଲି କହିଥିଲେ । ଗତ ଡିସେମ୍ବର ୨୭ରେ ସ୍ତ୍ରୀ ଠାରୁ ଫୋନ ପାଇ ବିପିନ ୫୦ ହଜାର ଟଙ୍କା ନେଇ ଶଶୁର ଘରକୁ ଯାଇଥିଲେ । ବିପିନଙ୍କ ଶଶୁର ଓ ଧରମ ଶଶୁର ଏହି ଟଙ୍କା ନେଇ ଥଣ୍ଡା ପାନୀୟରେ ବିଷ ମିଶାଇ ବିପିନଙ୍କୁ ପିଆଇଥିଲେ ବୋଲି ଅଭିଯୋଗ ହୋଇଛି ।
ବିପିନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏ ବିଷୟରେ ବିପିନଙ୍କ ପରିବାର ଲୋକେ ଜାଣିବା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ । ପରିବାର ଲୋକେ ପହଞ୍ଚିଲା ପରେ ଶଶୁର ଘର ଲୋକେ ତାଙ୍କୁ ଛାଡ଼ି ପଳାଇ ଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ବିପିନଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିପିନଙ୍କ ମୃତ୍ୟୁ ଘଟିଥିଲା । ଏନେଇ ବିପିନଙ୍କ ପରିବାର ଲୋକେ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏତଲା ନରଖିବାରୁ ସେମାନେ ଶବ ଆଣି ଦର୍ପନାରାୟଣପୁର ଫାଣ୍ଡି ଆଗରେ ରଖି ରାସ୍ତାରୋକ କରିଥିଲେ । ରଣପୁର ଥାନା ନିରୀକ୍ଷକ ଆଶିଷ ଦେବ ସାହୁ ଲୋକମାନଙ୍କୁ ବୁଝା ସୁଝା କରି ଏତଲା ଗ୍ରହଣ କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା ।