ଅଷ୍ଟ ପ୍ରହରୀ ହରେ ରାମ, ହରେ କୃଷ୍ଣ ନାମ ଯଜ୍ଞ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ମହାମିଳନ…

add-all


ଉମରକୋଟ / ରାଇଘର (୪/୧/୨୦୨୬) : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ବିରିପୁର ଡିଏନକେ (DNK) ୩୧/ବି ଗ୍ରାମରେ ଗତ ୩/୧/୨୦୨୬ ତାରିଖରେ ମହା ଧୁମଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟ ପ୍ରହରୀ “ହରେ ରାମ, ହରେ କୃଷ୍ଣ” ନାମ ଯଜ୍ଞ ଆରମ୍ଭ ହୋଇ, ଆଜି ଭୋର ପର୍ଯ୍ୟନ୍ତ ସଫଳତାର ସହିତ ସମାପିତ ହୋଇଛି। ଏହି ପବିତ୍ର ଆୟୋଜନକୁ କେନ୍ଦ୍ର କରି ସମଗ୍ର ଅଞ୍ଚଳ ଭକ୍ତିର ରଙ୍ଗରେ ରଙ୍ଗିନ ହୋଇଯାଇଥିଲା। ନାମ ଯଜ୍ଞ ହେଉଛି ଭଗବାନଙ୍କ ନାମ ସ୍ମରଣ ଓ ସଂକୀର୍ତ୍ତନ ମାଧ୍ୟମରେ ମନୁଷ୍ୟ ମନକୁ ପବିତ୍ର କରିବାର ଏକ ସରଳ ଓ ସର୍ବୋତ୍ତମ ଆଧ୍ୟାତ୍ମିକ ଉପାୟ। ଶାସ୍ତ୍ର ଅନୁସାରେ କଳିଯୁଗରେ ନାମ ସ୍ମରଣ ହେଉଛି ସର୍ବଶ୍ରେଷ୍ଠ ଯଜ୍ଞ। “ହରେ କୃଷ୍ଣ, ହରେ ରାମ” ମହାମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ମନୁଷ୍ୟର ମନରୁ ଅଜ୍ଞାନ, ଦୁଃଖ, ଅହଂକାର ଓ ପାପଭାବ ଦୂର ହୁଏ ଓ ଆତ୍ମା ଭଗବାନଙ୍କ ସହ ସମ୍ପର୍କ ସ୍ଥାପନ କରେ।


ଅଷ୍ଟ ପ୍ରହରୀ ନାମ ଯଜ୍ଞରେ ଲଗାତାର ଆଠ ପ୍ରହର (ଚବିଶ ଘଣ୍ଟା) ଧରି ସଂକୀର୍ତ୍ତନ, ହରିନାମ ଜପ, ମୃଦଙ୍ଗ ଓ କରତାଳ ନାଦରେ ସମଗ୍ର ପରିବେଶ ଆନନ୍ଦମୟ ଓ ଆଧ୍ୟାତ୍ମିକ ଉର୍ଜାରେ ପରିପୂର୍ଣ୍ଣ ହୋଇଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ନିଜ ନିଜ କାମକାଜ ଭୁଲି ଭଗବାନଙ୍କ ନାମରେ ଲୀନ ହୋଇଯାଇଥିଲେ। ଭକ୍ତମାନଙ୍କ ନିଷ୍କାମ ସେବା, ଶ୍ରଦ୍ଧା ଓ ସମର୍ପଣ ଏହି ନାମ ଯଜ୍ଞର ମୁଖ୍ୟ ଆଧାର ଥିଲା। କେହି ସଂକୀର୍ତ୍ତନରେ ଯୋଗ ଦେଇଥିଲେ, କେହି ପ୍ରସାଦ ସେବା, କେହି ଶୃଙ୍ଗାର, ପରିଷ୍କାର ଓ ଆୟୋଜନର ଦାୟିତ୍ୱ ନେଇ ଏକ ମହାନ ଭକ୍ତିମୟ ଏକତାର ପରିଚୟ ଦେଇଥିଲେ। ଏହିପରି ସମୂହ ଭକ୍ତି ମାଧ୍ୟମରେ ସାମାଜିକ ସମ୍ପ୍ରୀତି, ଶାନ୍ତି ଓ ମାନବିକ ମୂଲ୍ୟବୋଧ ଅଧିକ ମଜବୁତ ହୁଏ। ନାମ ଯଜ୍ଞ କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ମନୁଷ୍ୟ ଜୀବନକୁ ସତ୍ପଥରେ ଆଣିବାର ଏକ ଆଲୋକସ୍ତମ୍ଭ। ଏପରି ଭକ୍ତିମୟ କାର୍ଯ୍ୟକ୍ରମ ଗାଁ-ଗଞ୍ଜ ଓ ସମାଜରେ ନୀତି, ଶାନ୍ତି ଓ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରୁଥାଏ।
( ଉମରକୋଟ ରୁ, ରସିକ ସରକାରଙ୍କ ରିପୋର୍ଟ, ନିସର୍ତ ନ୍ୟୁଜ )

ad-week
Leave A Reply

Your email address will not be published.