ଗ୍ରାମ୍ୟ ଉନ୍ନୟନ ବିଭାଗରେ ହେଉଥିବା ଦୁର୍ନୀତି ସହ ଅନେକ ଦୁର୍ନୀତିର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ

newyr25


ଚିକିଟୀ — ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟୀ ଓ ପାତ୍ରପୁର ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ନେଇ ରବିବାର ଚିକିଟୀ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ବିଧାୟକଙ୍କ ମିଳିତରେ ଦୁର୍ନୀତି ହେଉଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବିଜେଡି ନେତା ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ। ଶ୍ରୀରୁପ ଦେଓ କହିଛନ୍ତି ଯେ ଗତ ବିଜେଡି ସରକାର ଅମଳରେ ସୁବର୍ଣ୍ଣପୁର ଠାରୁ ସୀମାନ୍ତ ବନମାଳୀପୁର, ରାଙ୍କୁଡା ଠାରୁ ସୁନାଖଳା ଓ ପାତ୍ରପୁର ଠାରୁ ଭିମପୁର ଏହି ତିନୋଟି ପ୍ରକଲ୍ପ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଦ୍ଵାରା ଭିତି ପ୍ରସ୍ତର ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଏହି ତିନୋଟି ପ୍ରକଲ୍ପ କାମ ଆରମ୍ଭ ହୋଇ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ତିନୋଟି ପ୍ରକଲ୍ପ ବନ୍ଦ କରାଯାଇଥିଲା। ତିନୋଟି ପ୍ରକଲ୍ପ ସମ୍ପୁର୍ଣ୍ଣ କରିବା ପାଇଁ ଦେଢ ବର୍ଷ କାଳ ବିଧାୟକଙ୍କୁ କମ୍ ହୋଇଛି କି ? କାହିଁକି ତିନୋଟି ରାସ୍ତା କାମ ବନ୍ଦ କରି ନିରିହ ଜନସାଧାରଣଙ୍କୁ ହଇରାଣ କରାଯାଉଛି ? ଏଥି ସହିତ ପାତ୍ରପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ପଟ୍ଟା ଜମିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସରକାରୀ କୋଠା ନିର୍ମାଣ କରିଥିଲେ। ଏନେଇ ଜମି ମାଲିକ ଅଭିଯୋଗ ମଧ୍ୟ କରିଥିଲେ। ତେବେ ସରକାରୀ ବାବୁମାନେ କଣ କୁଣ୍ଡା ଖାଇ କାମ କରୁଛନ୍ତି କି। ଚିକିଟୀ ଓ ପାତ୍ରପୁର ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହେଉଥିବା ରାସ୍ତା କାମ ନିମ୍ନ ମାନର ହେଉଛି। ସରକାରୀ ପ୍ରକଲ୍ପ ପଟ୍ଟା ଜମିରେ କିପରି ନିର୍ମାଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହିତ ଜରଡା ଠାରୁ ସୁରଙ୍ଗି ପଞ୍ଚାୟତକୁ ସଂଯୋଗ କରୁଥିବା ଠଣାଗାଁ ପୂର୍ତ୍ତ ବିଭାଗ ରାସ୍ତାରେ ନିମ୍ନ ମାନର ଗାର୍ଡ ୱାଲ ନିର୍ମାଣ କରିଥିବା ବେଳେ ସେହି ବିଷୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ନିମ୍ନ ମାନର ଗାର୍ଡ ୱାଲ ନିର୍ମାଣ କରିଥିବା ଯୋଗୁଁ ସେହି ଗାର୍ଡ ୱାଲ ଭୁଷୁଡି ପଡ଼ିଥିଲା। ଫଳରେ ସେଠାରେ ସଡ଼କ ଦୁର୍ଘଟଣା ଘଟି ଜଣେ ନିରିହ ମହିଳା ପ୍ରାଣ ହରାଇଥିବା କହିଛନ୍ତି। ସେହି ମହିଳାଙ୍କ ମୃତ୍ୟୁ ପୂର୍ତ୍ତ ବିଭାଗର ଦାୟିତ୍ବହିନତା ଯୋଗୁଁ ଘଟିଥିବା ବେଳେ ପାତ୍ରପୁର ବ୍ଳକ ପ୍ରଶାସନ ପକ୍ଷରୁ ରେଡ୍ କ୍ରସ ମାଧ୍ୟମରେ ସହାୟତା ରାଶି ମଧ୍ୟ ପ୍ରଦାନ କରା ଯାଇନାହିଁ। ସେହି ପରି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଚିକିଟୀ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଅନେକ ଦୁର୍ନୀତିର ଗୁମର ଖୋଲିଛନ୍ତି ଚିକିଟୀ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରିରୁପ ଦେଓ।

Leave A Reply

Your email address will not be published.