
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ।ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ଧାନ କିଣା ହୋଇପାରିନାହିଁ ।ଏପର୍ଯ୍ୟନ୍ତ କେଉଁ ପାକ୍ସରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ ।ମିଲର ଟ୍ୟାଗିଂ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ଆଧାରୁ ଅଧିକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମଧ୍ୟ ମିଳିନାହିଁ ।ଏଭଳି ପରିସ୍ଥିତିରେ ସାର ରାଜ୍ୟରେ ୪ ଦଫା ଦାବି ନେଇ ମିଲର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାନ କିଣିବେ ନାହିଁ ବୋଲି ରାଜ୍ୟ ଆସୋସିଏସନ୍ ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଥିବା କଥା ନୟାଗଡ଼ ମିଲର ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଭଡ଼ା ପ୍ରଦାନ, ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ବୃଦ୍ଧି ଭଳି ୪ ଟି ଦାବି ନେଇ ମିଲର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।୨୦ ବର୍ଷ ତଳେ ସରକାର ଧାନ ମିଲିଙ୍ଗ ପାଇଁ ଯେଉଁ ମୂଲ୍ୟ ଧାର୍ଯ୍ୟ କରିଥିଲେ ସେଥିରେ ଏବେ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ ।ପରିବହନ ଖର୍ଚ୍ଚ ଦିନକୁ ଦିନ ବୃଦ୍ଧି ପାଉଛି ମାତ୍ର ସରକାର ଏହାକୁ କମାଇ ଦେଉଛନ୍ତି ।ସରକାର ଧାନ ସଂରକ୍ଷଣ ପାଇଁ ମିଲରଙ୍କ ଗୋଦାମ ବ୍ୟବହାର କରୁଛନ୍ତି ମାତ୍ର ଏଥିପାଇଁ କୌଣସି ମୂଲ୍ୟ ପ୍ରଦାନ କରୁନାହାନ୍ତି ଯାହାଦ୍ଵାରା ମିଲର ମାନଙ୍କର ଅନେକ କ୍ଷତି ହେଉଛି । ତେଣୁ କୌଣସି ସ୍ଥାନରେ ମିଲର ଧାନ ନ ଉଠେଇବାକୁ ନିଷ୍ପତି ନେଇଛନ୍ତି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାରେ ୫୭ ହଜାରରୁ ଉର୍ଦ୍ଧ୍ଵ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ମାତ୍ର ୩୦ ପ୍ରତିଶତ ଚାଷୀଙ୍କ ଟୋକନ ଆସିଥିବା ବେଳେ ଅବଶିଷ୍ଟ ୭୦ ପ୍ରତିଶତ ଚାଷୀ ଟୋକନ ଅପେକ୍ଷାରେ ଅଛନ୍ତି ।ଏଭଳି ପରିସ୍ଥିତିରେ କିପରି ଧାନ କିଣା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପ୍ରଶ୍ନ ଉଠିଛି ।ମିଲର ମାନଙ୍କ ସହିତ ଚୁକ୍ତି ସାରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଓ ସୂଚନା ଦେଇଛନ୍ତି।ସେମାନଙ୍କର ବ୍ୟାଙ୍କ ଡିପୋଜିଟ ଭେରିଫିକେସନ କରାଯାଉଛି। ଏହା ସରିବା ପରେ ଧାନ କିଣା ତ୍ବରାନ୍ବିତ କରାଯିବ । ପର୍ଯ୍ୟାୟ କ୍ରମେ ଚାଷୀଙ୍କୁ ଟୋକନ୍ ମେସେଜ ଆସିବ ଏବଂ କୌଣସି ଚାଷୀ ଅଧର୍ଯ୍ୟ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
ଜିଲ୍ଲାରେ ଧାନ କିଣା ବିଳମ୍ବ ହେଉଥିବାରୁ ଗାଁ ଗୁଡିକରେ ଦଲାଲ ରାଜୁତି ବୃଦ୍ଧି ପାଇଛି।କ୍ଵିଣ୍ଟାଲ ପିଛା ୧୮ ଶହ ଟଙ୍କାରେ ଦଲାଲ ମାନେ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି । ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।