
ହରିୟାଣା : ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଲଗା ଅଲଗା ମାମଲାରେ ହରିୟାଣାର ପୋଲିସ ଗିରଫ କରିଛି । ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହ ମୋବାଇଲରୁ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି ।
ସୂଚନାନୁଯାୟୀ, ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ଅମ୍ବାଲା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସେହି ଅଞ୍ଚଳର ବାହୁସେନା ଷ୍ଟେସନ ବିଷୟରେ ସୂଚନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । DSP କ୍ରାଇମ୍ ବୀରେନ୍ଦ୍ର କୁମାର କହିଛନ୍ତି ଯେ, ପୋଲିସକୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବିଷୟରେ ସୂଚନା ମିଳିଥିଲା । ଯିଏ ଡିଫେନ୍ସ କ୍ଷେତ୍ର ସହି ଜଡିତ ଥିବା ସମସ୍ତ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା । ଅଭିଯୁକ୍ତଙ୍କୁ ଅମ୍ବାଲାର ବାସିନ୍ଦା ସୁନୀଲ ଓରଫ ସନି ଭାବରେ ଚିହ୍ନଟ କରାଯାଇଛି । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି । ପଚରାଉଚରା ସମୟରେ ପୋଲିସ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା । ଯେଉଁଥିରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । ତଦନ୍ତରୁ ଜଣାପଡିଛି ଯେ ସୁନୀଲ ୨୦୨୦ ମସିହାରୁ ବାୟୁସେନା ଷ୍ଟେସନରେ ଠିକାଦାର ଭାବରେ କାମ କରୁଥିଲେ ଏବଂ ମରାମତି କାର୍ଯ୍ୟ ମଧ୍ୟ କରୁଥିଲେ । ସମସ୍ତ ଖବର ସମ୍ପର୍କରେ ଜଣେ ମହିଳାଙ୍କୁ ଫଟୋ ଉଠାଇ ପଠାଉଥିଲେ । ଯାହାକୁ ଆମ ଶତ୍ରୁ ଦେଶ ବୋଲି କୁହାଯାଇପାରିବ । ତାଙ୍କୁ ପଚରାଉଚରା କରିବା ସହ ଅଟକ ରଖାଯାଇଛି । ଏଥିସହିତ ସେ ବର୍ତ୍ତମାନ ୪ ଦିନିଆ ରିମାଣ୍ଡରେ ଅଛନ୍ତି ।
ଅନ୍ୟପଟେ ପୂର୍ବରୁ ଏକ ଭିନ୍ନ ଘଟଣାରେ ହରିୟାଣା ପୋଲିସ ପାକିସ୍ତାନ ସେନା ଏବଂ ISI କୁ ସୂଚନା ଯୋଗାଇବା ଅଭିଯୋଗରେ କୈଥଲର ବାସିନ୍ଦା ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା । ହେପାଜତକୁ ଆଣି ତାକୁ ପଚରାଉଚରା କରିବା ସମୟରେ ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ସହିତ ସମ୍ପର୍କରେ ଥିବା ସ୍ୱୀକାର କରିଥିଲା । ସେ ସେହି ସଂସ୍ଥାକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ସୂଚନା ପ୍ରଦାନ କରିଥିଲା । ଏହା ବ୍ୟତୀତ ସମୟ ସମୟରେ ପାକିସ୍ତାନୀ ସେନା ଏବଂ ISI କୁ ଅପରେସନ ସିନ୍ଦୁର ସମ୍ପର୍କରେ ସୂଚନା ମଧ୍ୟ ଦେଉଥିଲା । ସାଇବର ପୋଲିସ ଷ୍ଟେସନ୍ କର୍ମଚାରୀ ତାଙ୍କ ପାଖରେ ମିଳିଥିବା ଉପକରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।