
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀ ଅବବାହିକା ରେ ଜଳପକ୍ଷୀ ଅନୁସନ୍ଧାନ ସମୟରେ ଶୀତକାଳୀନ ପ୍ରବାସୀ ପକ୍ଷୀ ମାନଙ୍କ ମଧ୍ୟରେ ଗୋଟିଏ ପାଣି ଚିରା ବା ଭାରତୀୟ ସ୍କିମର ବିଶ୍ରାମ ନେବାର ଦେଖିବାକୁ ମିଳିଛି l ତିନି ଘଣ୍ଟା ପର୍ଯ୍ୟବେକ୍ଷଣ ଅବଧି ମଧ୍ୟରେ ପକ୍ଷୀଟି ସମ୍ପୂର୍ଣ୍ଣ ବିଶ୍ରାମ ଅବସ୍ଥାରେ ରହିଥିଲା। ଦୀର୍ଘ ସମୟ ଧରି ବିଶ୍ରାମ ନେବାର ଉଲ୍ଲେଖନୀୟ, କାରଣ ଭାରତୀୟ ସ୍କିମରମାନେ ସାଧାରଣତଃ ସକାଳ ଏବଂ ସନ୍ଧ୍ୟା ସମୟରେ ସକ୍ରିୟ ଥାଆନ୍ତି, ଖାଦ୍ୟ ପାଇଁ ଜଳପୃଷ୍ଠକୁ ଅବତରଣ କରନ୍ତି। କେବଳ ଗୋଟିଏ ପକ୍ଷୀର ଉପସ୍ଥିତି ଏହି ଅଞ୍ଚଳରେ ବିଭିନ୍ନ ପକ୍ଷୀ ପ୍ରଜାତିର ବିରଳତାକୁ ଉଲ୍ଲେଖ କରେ ଏବଂ ଏହାର ସ୍ଥିତି, ବାସସ୍ଥାନ ବ୍ୟବହାର,ସଂରକ୍ଷଣ ଆବଶ୍ୟକତା ଗୁରୁତ୍ୱ ସହ ଅଧିକ ବ୍ୟବସ୍ଥିତ ଅନୁସନ୍ଧାନ ଆବଶ୍ୟକ ରହିଛି l ୱାଇଲଡ ଲାଇଫ ଇଣ୍ଟରନେସନାଲ ସର୍ଭେ ଅନୁସାରେ ସାରା ବିଶ୍ୱରେ ପ୍ରାୟ ୨୯୦୦ ବିଲୁପ୍ତ ଭାରତୀୟ ସ୍କିମର ରହିଛନ୍ତି l ପୂର୍ବରୁ ଚିଲିକା ର ନଳବଣ,ମହାନଦୀ ଅବବାହିକା, ଭିତରକନିକାରେ ଏହି ପକ୍ଷୀ ଦେଖିବାକୁ ମିଳିଛି l ଏହି ପକ୍ଷୀ ସର୍ବେକ୍ଷଣ ରେ ବନ୍ୟ ପ୍ରାଣୀ ବିଶେଷଜ୍ଞ ତଥା ପୁରୀ ବନଖଣ୍ଡ ପ୍ରାକ୍ତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଆକାଶ ରଞ୍ଜନ ରଥ, ପରିବେଶବିତ ସାଗର କୁମାର ପାତ୍ର, ସୌମ୍ୟ ରଞ୍ଜନ ବିଶ୍ୱାଳ, ବିଜେନ୍ଦ୍ର ମାଝୀ, ଗଣପତି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ବାହୁଦା ମୁହାଣ ରେ ବୃହତ ଜୈବ ବିବିଧତା ଥିବା ଦ୍ୱାରା ପ୍ରତି ବର୍ଷ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି ଏହା ର ସୁରକ୍ଷା ପ୍ରତି ସ୍ଥାନୀୟ ବାସିନ୍ଦାଙ୍କ ସଚେତନତା ଓ ବନ ବିଭାଗ ଅଧିକ ଦୃଷ୍ଟି ଦେବା ଆବଶ୍ୟକ ରହିଛି l