ଆମନ୍ତ୍ରଣ ଦେଇ ସାମ୍ବାଦିକଙ୍କୁ ଅପମାନ : ରାଇଘର କଲେଜ ଅଧ୍ୟକ୍ଷଙ୍କ ପାତରଅନ୍ତର ନୀତିକୁ ନେଇ ବଢୁଛି ଅସନ୍ତୋଷ

newyr25

(ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ) : ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରୀକ୍ଷିତ ସାହୁଙ୍କ ବିରୋଧରେ ସାମ୍ବାଦିକଙ୍କୁ ଅସମ୍ମାନ କରିଥିବା ନେଇ ସୁଦୂରପ୍ରସାରୀ ଅଭିଯୋଗ ଆସିଛି। ସନାତନ ସ୍ମୃତି ସାହିତ୍ୟ ସଂସଦର ୧୮ତମ ବାର୍ଷିକ ଉତ୍ସବ ଅବସରରେ ଆମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି କରାଯାଇଥିବା ଭେଦଭାବପୂର୍ଣ୍ଣ ଆଚରଣ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତ ୧୮ ଜାନୁୟାରୀରେ ଅନୁଷ୍ଠିତ ଏହି ଉତ୍ସବକୁ ରାଇଘର ଓ ଉମରକୋଟ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା। ମାତ୍ର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଧ୍ୟକ୍ଷଙ୍କ ପକ୍ଷରୁ ଚୟନମୂଳକ ସମ୍ମାନ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ମଞ୍ଚକୁ ଡାକି ମାନପତ୍ର ଓ ଉପଢୌକଣ ସହ ସମ୍ମାନିତ କରାଯାଇଥିବା ବେଳେ, ଅନ୍ୟ ଆମନ୍ତ୍ରିତ ସାମ୍ବାଦିକମାନଙ୍କୁ ମାନପତ୍ର ନଦେଇ କେବଳ ଉପଢୌକଣ ଧରାଇ ବିଦା କରାଯାଇଥିଲା। ଅଧ୍ୟକ୍ଷଙ୍କ ଏହି ସାଂଘାତିକ ପାତରଅନ୍ତର ନୀତିକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଅପମାନକୁ ସହ୍ୟ ନକରି ଅନେକ ସାମ୍ବାଦିକ ସାର୍ବଜନୀନ ଭାବେ ସେମାନଙ୍କୁ ଦିଆଯାଇଥିବା ଉପଢୌକଣ ଫେରାଇ ଦେଇଛନ୍ତି। ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି ଯେ, “ଯଦି ମାନପତ୍ର ଦେବାର ଥିଲା, ତେବେ ସମସ୍ତ ଆମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କାହିଁକି କରାଯାଇନଥିଲା? ଜଣଙ୍କୁ ପୂର୍ଣ୍ଣ ସମ୍ମାନ ଓ ଅନ୍ୟ ଜଣଙ୍କୁ ଅଧା ସମ୍ମାନ ଦେବା କେଉଁ ପ୍ରକାରର ନ୍ୟାୟ?”

ଏଭଳି ଆଚରଣ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନୁହେଁ, ବରଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅପମାନ ବୋଲି ସାମ୍ବାଦିକ ସଂଘ ମତ ପ୍ରକାଶ କରିଛି। ଜଣେ ଶିକ୍ଷାନୁଷ୍ଠାନର ମୁଖ୍ୟ ହୋଇ ଯଦି ସେ ସମାଜର ଦର୍ପଣ କୁହାଯାଉଥିବା ସାମ୍ବାଦିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରନ୍ତି, ତେବେ ଛାତ୍ରଛାତ୍ରୀଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସାମ୍ବାଦିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଅଧ୍ୟକ୍ଷ ଏହି ଘଟଣାରେ ସ୍ପଷ୍ଟୀକରଣ ରଖି କ୍ଷମା ପ୍ରାର୍ଥନା ନକରନ୍ତି କିମ୍ବା ସନ୍ତୋଷଜନକ ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଏହି ବିଷୟକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବାକୁ ସେମାନେ ବାଧ୍ୟ ହେବେ। ଗଣମାଧ୍ୟମ କାହାର ହାତବାରିସୀ ନୁହେଁ ଏବଂ ଅସମ୍ମାନ କରାଗଲେ ତାହାର ଉଚିତ୍ ଜବାବ ଦିଆଯିବ ବୋଲି ସାମ୍ବାଦିକ ବନ୍ଧୁମାନେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.