କାଗଜ କଲମରେ ‘ଅମୃତ’, ବାସ୍ତବରେ ଦୁର୍ନୀତି: କୋଟପାଡ଼ ଅମୃତ ସରୋବର ପ୍ରକଳ୍ପରେ ମହାଘୋଟାଲା

add-all

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ସରକାରଙ୍କ ‘ଅମୃତ ସରୋବର’ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଏକ ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିଛି। ଆଜାଦି କା ଅମୃତ ମହୋତ୍ସବ ଅବସରରେ ପ୍ରତି ପଞ୍ଚାୟତରେ ପୋଖରୀର ପୁନଃଉଦ୍ଧାର ପାଇଁ ଯୋଜନା କରାଯାଇଥିବା ବେଳେ ଛତିଶଗଡ଼ ସୀମାନ୍ତରେ ଥିବା ମୁର୍ତାହାଣ୍ଡି ପଞ୍ଚାୟତର ଜିରାଗାଁରେ ଏହି ଯୋଜନାର ଏକ ବିକୃତ ଚେହେରା ଦେଖିବାକୁ ମିଳିଛି। ସରକାରୀ କାଗଜପତ୍ରରେ କାମ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ପୋଖରୀର ସ୍ଥିତି ଅତି ଶୋଚନୀୟ ହୋଇ ରହିଛି। ସରକାରୀ ରେକର୍ଡ ଏବଂ ଜମି ସ୍ତରରେ ଥିବା କାମ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଥିବା ଅଭିଯୋଗ ହେଉଛି।

ସୂଚନା ଅଧିକାର ଆଇନ (RTI) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଜିରାଗାଁର ବାମନଦେଇ ଗୁଡ଼ୀ ସମ୍ମୁଖରେ ଥିବା ଏକ ପୋଖରୀର ପୁନଃଉଦ୍ଧାର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲା। କାର୍ଯ୍ୟାଦେଶ ସଂଖ୍ୟା ୨୪୧୧୦୧୫୦୧୩/HW/୧୦୪୯୯୭୫୫ ଅନୁସାରେ, ଏହି କାମ ୨୦୨୨ ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହୋଇ ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସରକାରୀ ହିସାବ କହୁଛି ଯେ ଏହି ମାସକରୁ ଅଧିକ ସମୟ ମଧ୍ୟରେ ୨୩୫ ଜଣ ଶ୍ରମିକ ମୋଟ ୧୩୯୮ ଦିନର କାର୍ଯ୍ୟ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, କାଗଜ କଲମରେ ରଡ଼, ସିମେଣ୍ଟ, ଗୋଡ଼ି ଏବଂ ବାଲି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲେ ହେଁ, ପୋଖରୀ ପାଖରେ ଏଭଳି କୌଣସି ପକ୍କା କାମର ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହିଁ।

ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସ୍ଥାନୀୟ ଲୋକପ୍ରତିନିଧି, ବ୍ଲକ ପ୍ରଶାସନ ଏବଂ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ହୋଇ ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୋଖରୀର କାମ କେବଳ ନାମକୁ ମାତ୍ର କରାଯାଇଛି, ଯାହାକି ଶ୍ରଦ୍ଧାଞ୍ଜଳି ସ୍ୱରୂପ କରାଯାଇଥିବା ଏହି ମହତ୍ ପ୍ରକଳ୍ପର ଅପମାନ ସଦୃଶ। ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳିତ ମନୋଭାବ ଯୋଗୁଁ ଗରିବ ଶ୍ରମିକଙ୍କ ହକ୍ ମରାଯିବା ସହ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଜଳାଶୟର ବିକାଶ ହୋଇପାରିନାହିଁ। ଏବେ ଜିଲ୍ଲା ସ୍ତରୀୟ ଏକ ନିରପେକ୍ଷ ତଦନ୍ତ କରାଗଲେ ହିଁ ଏହି ମହାଘୋଟାଲାର ରହସ୍ୟ ଉଜାଗର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି। ଯଦି ସରକାର ଏ ଦିଗରେ ଦୃଷ୍ଟି ନଦିଅନ୍ତି, ତେବେ ‘ଅମୃତ ସରୋବର’ ଭଳି ଯୋଜନା କେବଳ କାଗଜପତ୍ରରେ ହିଁ ଅମୃତ ହୋଇ ରହିଯିବ ଏବଂ ବାସ୍ତବରେ ତାହା ଦୁର୍ନୀତିର ପୋଖରୀରେ ପରିଣତ ହେବ।

ad-week
Leave A Reply

Your email address will not be published.